ପଞ୍ଜାବର ଏହି ଅଞ୍ଚଳରେ ଲୁଚିଛି ଅମ୍ରିତପାଲ ସିଂ! ଆଖାପାଖର ୫୦ ଗାଁରେ ଚାଲିଛି ସର୍ଚ୍ଚ ଅପରେସନ୍‌

ଓ୍ଵାରିସ୍‌ ପଞ୍ଜାବ ଦେ’ର ମୁଖ୍ୟ ଅମ୍ରିତପାଲ ସିଂ ଗତ ଦୁଇ ସସ୍ତାହ ହେବ ଫେରାର୍‌ ଅଛନ୍ତି। ତାଙ୍କ ସନ୍ଧାନରେ ଦେଶର ଅନେକ ରାଜ୍ୟରେ ପୋଲିସ ସର୍ଚ୍ଚ ଅପରେସନ୍‌ ଚଳାଇଛି।

ଖଲିସ୍ତାନୀ ସମର୍ଥକ ତଥା ଓ୍ଵାରିସ୍‌ ପଞ୍ଜାବ ଦେ’ର ମୁଖ୍ୟ ଅମ୍ରିତପାଲ ସିଂ ଗତ ଦୁଇ ସସ୍ତାହ ହେବ ପୋଲିସକୁ ଚକ୍‌ମା ଦେଇ ଖସି ପଳାଉଛି। ଦେଶର ଅନେକ ରାଜ୍ୟରେ ପୋଲିସ ତାକୁ ଖୋଜାଖୋଜି କରୁଛି। ତେବେ ଅମ୍ରିତପାଲ ପଞ୍ଜାବର ଅମୃତସରରେ ଆତ୍ମସମର୍ପଣ କରିପାରେ ବୋଲି ପୋଲିସ ଆଶଙ୍କା କରୁଛି। ଏଥିପାଇଁ ପୂରା ଅମୃତସରରେ ଛାନ୍‌ଭିନ ଚାଲିଛି।

ଏହାରି ଭିତରେ ଅମ୍ରିତପାଲ ପଞ୍ଜାବର ମରନଇ କଲାଁ ଗାଁରେ ଲୁଚିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଛି। ତେବେ ଏଠି ମଧ୍ୟ ସେ ପୋଲିସକୁ ଚକ୍‌ମା ଦେଇ ସ୍ୱିଫ୍ଟ କାର୍‌ରେ ଆଖୁ କ୍ଷେତ ଦେଇ ଖସି ପଳାଇଛି। ସୂତ୍ରରୁ ଜଣାପଡ଼ିଛି ଯେ ଅମ୍ରିତପାଲ ଇନୋଭା ଗାଡ଼ିରେ ଯାଉଥିବା ନେଇ ପ୍ରଥମେ ପୋଲିସକୁ ସୂଚନା ମିଳିଥିଲା। ପରେ ସେ ନିଜ ସାଥୀ ସହିତ ଏକ ଧଳା ରଙ୍ଗର ସ୍ୱିଫ୍ଟ କାର୍‌ରେ ଖସି ପଳାଇଥିଲା।

ଅମ୍ରିତପାଲର ଲୋକେସନ ହୋଶିୟାରପୁର ଫଗଓ୍ଵାଡା ରୋଡ୍‌ସ୍ଥିତ ମରନଇ ଗାଁ ନିକଟରେ ମିଳିଥିଲା। ଅମ୍ରିତପାଲ ଯେଉଁ ଗାଡ଼ିରେ ଥିଲା, ତାହାର ନମ୍ବର ମଧ୍ୟ ପୋଲିସକୁ ମିଳିଛି। ଏହି ଗାଡ଼ି ନମ୍ବରକୁ ନେଇ ପୂରା ପଞ୍ଜାବରେ ଆଲର୍ଟ ଜାରି କରି ଦିଆଯାଇଛି। ହୋଶିୟାରପୁରରୁ ନେଇ ଜଳନ୍ଧର ପର୍ଯ୍ୟନ୍ତ ସନ୍ଧାନ ଅଭିଯାନ ଚାଲିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଅମ୍ରିତପାଲ ବ୍ୟବହାର କରିଥିବା ଗାଡ଼ିର ଶେଷ ନମ୍ବର ହେଉଛି ୯୧୬୮।

ଅମ୍ରିତପାଲ ସିଂ ସହରାଞ୍ଚଳଠାରୁ ଦୂର କୌଣସି ଗ୍ରାମୀଣ ଅଞ୍ଚଳରେ ଲୁଚି ଥାଇପାରେ ବୋଲି ପୋଲିସ ଆଶଙ୍କା କରିଛି। ପଞ୍ଜାବ ପୋଲିସ ହୋଶିୟାରପୁର, ନଓ୍ଵାସହର, ଜଳନ୍ଧର ଏବଂ କପୁରଥଲା ଜିଲ୍ଲାକୁ ହାଇ ଆଲର୍ଟ ଜୋନ୍‌ରେ ରଖି ଏଠାକୁ ଯିବା ଆସିବା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଉପରେ କଡ଼ା ନଜର ରଖିଛି।

Leave A Reply

Your email address will not be published.