ଲୋକସଭା ସାଂସଦ ରୂପେ ଆଜି ଶପଥ ନେବେ ଅମୃତପାଲ୍ ସିଂ ଓ ଶେଖ୍ ଅବଦୁଲ୍ ରସିଦ; ଫଟୋ, ଭିଡିଓ କରିବାକୁ ମନା
ପଞ୍ଜାବର ଖଣ୍ଡୁର ସାହିବରୁ ନବ ନିର୍ବାଚିତ ଲୋକସଭା ସାଂସଦ ଅମୃତପାଲ ସିଂ ଆଜି ଶପଥ ଗ୍ରହଣ କରିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଚାମ୍ବରରେ ସେ ଶପଥ ନେବେ । ସେହିପରି ଜମ୍ମୁ-କାଶ୍ମୀରର ବାରାମୂଳା ଲୋକସଭା ଆସନରୁ ନିର୍ବାଚିତ ସାଂସଦ ଶେଖ ଅବଦୁଲ ରସିଦ ମଧ୍ୟ ଶୁକ୍ରବାର ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବେ ।
ରସିଦ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ସେପଟେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଆସାମର ଡିବ୍ରୁଗଡ ଜେଲରେ ଅଛନ୍ତି । ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କୁ ଅର୍ଥ ପ୍ରଦାନ କରୁଥିବା ନେଇ ରସିଦଙ୍କ ଉପରେ ଅଭିଯୋଗ ରହିଛି । ଏହି ମାମଲାରେ ସେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି ।
ଲୋକସଭା ସଦସ୍ୟ ରୂପେ ଶପଥ ଗ୍ରହଣ କରିବା ପାଇଁ ରସିଦଙ୍କୁ ତିହାର ଜେଲରୁ ଦୁଇ ଘଣ୍ଟାର ପାରୋଲ ଦିଆଯାଇଛି । ଅମୃତପାଲ ସିଂଙ୍କୁ ଚାରି ଦିନ ପାଇଁ ସର୍ତ୍ତମୂଳକ ପାରୋଲ ଦିଆଯାଇଛି । ଏହି ଅବଧି ମଧ୍ୟରେ ସେ କୌଣସି ରାଜନୈତିକ ବିବୃତ୍ତି ଦେବେ ନାହିଁ କି ତାଙ୍କର କୌଣସି ଭିଡିଓ ମଧ୍ୟ କରାଯାଇ ପାରିବ ନାହିଁ । କେବଳ ଏତିକି ନୁହେଁ, ଅମୃତପାଲ ସିଂଙ୍କ ଫଟୋ ମଧ୍ୟ ଉଠାଇବା ନିଷେଧ ।
କହି ରଖୁଛୁ, ଅମୃତପାଲଙ୍କ ବିରୋଧରେ ପଞ୍ଜାବରେ ଅନେକ ମାମଲା ରୁଜୁ ହୋଇଛି । ଅମୃତସରର ଅଜନାଲା ଥାନା ଉପରେ ଆକ୍ରମଣ ଏବଂ ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରହିଛି ।
ଅମୃତପାଲଙ୍କୁ ଡିବ୍ରୁଗଡରୁ ବିମାନ ଯୋଗେ ନୂଆଦିଲ୍ଲୀ ଅଣାଯିବ । ଲୋକସଭା ବାଚସ୍ପତିଙ୍କ ଚାମ୍ବରରେ ଉଭୟ ଲୋକସଭା ସଦସ୍ୟ ରୂପେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ସମାରୋହରେ ବାଚସ୍ପତି ଓମ ବିର୍ଲାଙ୍କ ବିନା ଅନୁମତିରେ ଉଭୟଙ୍କର କୌଣସି ଫଟୋ ଉଠାଯାଇ ପାରିବ ନାହିଁ । ଅମୃତପାଲଙ୍କୁ କେବଳ ତାଙ୍କ ବାପା, ମା’, ଭାଇ ଏବଂ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି । ତାଙ୍କୁ ପଞ୍ଜାବ ଯିବାକୁ ବାରଣ କରାଯାଇଛି ।