ନିର୍ବାଚନ ଜିତିବା ପରେ ପ୍ରଥମ ଥର ଜେଲ୍‌ରୁ ବାହାରିବେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ, ମିଳିଲା ୪ ଦିନର ପାରୋଲ୍‌

ଲୋକସଭା ନିର୍ବାଚନ ଜିତିବା ପରେ ପ୍ରଥମ ଥର ଜେଲ୍‌ରୁ ବାହାରିବେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ । ଆସାମର ଡିବ୍ରୁଗଡ଼ ଜେଲ୍‌ରେ ଥିବା ଅମୃତପାଲ ସିଂଙ୍କୁ ୪ ଦିନର ପାରୋଲ ମିଳିଛି । କିଛି ସର୍ତ୍ତ ସହିତ ତାଙ୍କୁ ଜୁଲାଇ ୫ରୁ ୪ ଦିନ ପାଇଁ ପାରୋଲ୍‌ ଦିଆଯାଇଛି ।

ଅମୃତସର ଡିସି ଘନଶ୍ୟାମ ଥିୟୋରୀ କହିଛନ୍ତି, ଏ ନେଇ ଡିବ୍ରୁଗଡ଼ ଜେଲ୍‌ ଅଧୀକ୍ଷକଙ୍କୁ ସୂଚନା ଦିଆଯାଇଛି । ଖଲିସ୍ତାନୀ ସଙ୍ଗଠନ ‘ଓ୍ଵାରିସ୍‌ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ଚଳିତ ଲୋକସଭା ନିର୍ବାଚନରେ ପଞ୍ଜାବର ଖଡୁର ସାହିବ ଆସନରୁ ସ୍ୱାଧୀନ ଭାବରେ ନିର୍ବାଚନ ଜିତିଛନ୍ତି ।

ଗତବର୍ଷ ମାର୍ଚ୍ଚରୁ ଅମୃତପାଲ ଜେଲ୍‌ରେ ଅଛନ୍ତି । ସେ ଏବଂ ତାଙ୍କର ୩ ସହଯୋଗୀଙ୍କ ହେପାଜତ ଜୁଲାଇ ୨୪ରେ ଶେଷ ହେବାର ଥିଲା । ଯେତେବେଳେ କି, ବାକି ୬ ସହଯୋଗୀଙ୍କ ହେପାଜତ ଜୁନ୍‌ ୧୮ରେ ଶେଷ ହେବାର ଥିଲା । କିନ୍ତୁ ଅମୃତପାଲଙ୍କ ସହ ୯ ଅଭିଯୁକ୍ତଙ୍କ NSA ୧ ବର୍ଷ ପାଇଁ ବଢ଼ାଇ ଦିଆଯାଇଛି । NSAର ଆଦେଶ ୧ ବର୍ଷ ପାଇଁ ପ୍ରଭାବୀ ହୋଇଥାଏ ।

୧୮ତମ ଲୋକସଭା ଅଧିବେଶନର ତୃତୀୟ ଦିନରେ ବାଚସ୍ପତି ନିର୍ବାଚନ ପୂର୍ବରୁ ଅବଶିଷ୍ଟ ସାଂସଦମାନଙ୍କୁ ଶପଥ ନେବାର ଥିଲା । ଏହି ତାଲିକାରେ ଅମୃତପାଲ ସିଂ ମଧ୍ୟ ସାମିଲ ଥିଲେ । କିନ୍ତୁ ଜେଲ୍‌ରେ ଥିବା ହେତୁ ସେ ଶପଥ ନେଇପାରି ନ ଥିଲେ । ଏବେ କୁହାଯାଉଛି ଯେ ଜେଲ୍‌ରୁ ବାହାରିବା ପରେ ଅମୃତପାଲ ଶପଥ ଗ୍ରହଣ କରିପାରନ୍ତି ।