ସ୍ୱର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ କରିପାରେ ପଳାତକ ଅମ୍ରିତପାଲ ! ବଢାଗଲା ସୁରକ୍ଷା ବ୍ୟବସ୍ଥା

ଆତ୍ମସମର୍ପଣ କରିପାରେ ପଳାତକ ଅମ୍ରିତପାଲ । ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ କରିବା ନେଇ ସୂଚନା ମିଳିବା ପରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା ।

ପଳାତକ ଘୋଷିତ ଅମ୍ରିତପାଲ ସ୍ୱର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ କରିପାରେ ବୋଲି ପଞ୍ଜାବ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଆଶଙ୍କା ପ୍ରକାଶ କରିଛନ୍ତି। ପଞ୍ଜାବ ପୋଲିସର ଆଶଙ୍କା ରହିଛି ଯେ, ଅମ୍ରିତପାଲ ଦରବାର ସାହିବକୁ ପ୍ରବେଶ କରି ଶ୍ରୀ ଅକାଲ ତାଖଟ ସାହିବଙ୍କ ନିକଟକୁ ଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ପରେ ଗଣମାଧ୍ୟମ ଉପସ୍ଥିତିରେ ସେଠାରେ ଆତ୍ମସମର୍ପଣ କରିବାକୁ ଇଚ୍ଛା କରିପାରନ୍ତି ବୋଲି ସୂଚନା ମିଳିଛି ।

ଏହାକୁ ଆଖି ଆଗରେ ରଖି ସ୍ୱର୍ଣ୍ଣ ମନ୍ଦିର କମ୍ପ୍ଲେକ୍ସ ଚାରିପାଖରେ ସୁରକ୍ଷା ବଢାଯାଇଛି। ପଞ୍ଜାବ ପୋଲିସ ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ହାଇ ଆଲର୍ଟରେ ଅଛନ୍ତି। ଅମ୍ରିତପାଲଙ୍କ ସନ୍ଧାନରେ ପଞ୍ଜାବର ଅନେକ ଅଞ୍ଚଳରେ କାଲି ରାତିରୁ ସର୍ଚ୍ଚ ଅପରେସନ ଚାଲିଛି। ଅମ୍ରିତପାଲ ତାଙ୍କ ସହଯୋଗୀମାନଙ୍କ ସହ ହୋଶିଆରପୁରର ଏକ ଗାଁରେ ଲୁଚି ରହିଥିବା ପଞ୍‌ଜାବ ପୋଲିସର ଗୁପ୍ତଚର ଖବର ପାଇଥିଲେ । ସୂଚନା ପାଇବା ପରେ ପୋଲିସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ମାର୍ନିଆନ୍ ଗ୍ରାମରେ ଥିବା ଅମ୍ରିତପାଲଙ୍କୁ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା ଏବଂ ଏହାର କାଉଣ୍ଟର ଗୁପ୍ତଚର ଶାଖା ଫାଗୱାରା ପର୍ଯ୍ୟନ୍ତ ତାଙ୍କ କାରକୁ ଗୋଡ଼ାଯାଇଥିଲା କିନ୍ତୁ ପରେ ସେ କାର ଫେରାର ହୋଇଯାଇଥିଲା।

ସୂଚନା ମୁତାବକ, ୧୮ ମାର୍ଚ୍ଚରୁ ଖଲିସ୍ତାନ ସମର୍ଥକ ଓ୍ଵାରିସ ପଞ୍ଜାବ ଦେ ସଂଗଠନର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ୧୮ ତାରିଖରେ ଅମ୍ରିତପାଲ ଫେରାର ହୋଇଯାଇଥିଲା। ସେବେଠାରୁ ପୋଲିସ ଅମ୍ରତିପାଲଙ୍କୁ ପଳାତକ ଘୋଷିତ କରିଛି ।