ଏକତରଫା ପ୍ରେମର କରୁଣ ପରିଣତି । ପ୍ରେମିକା ଭାଇକୁ ଫସାଇବା ପାଇଁ ଜଣେ ନିରୀହ ମହିଳାଙ୍କ ଜୀବନ ନେଇଗଲା ଅଭିଯୁକ୍ତ । ଝାଡ଼ଖଣ୍ଡର ଧନବାଦରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ଜୀବନ ନେବା ପରେ ମୃତଦେହର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଅଭିଯୁକ୍ତ । ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯେଉଁ ମୋବାଇଲରୁ ମୃତଦେହର ଫଟୋ ଭାଇରାଲ ହେଉଥିଲା ଉକ୍ତ ମୋବାଇଲକୁ ମଧ୍ୟ ଜବତ କରାଯାଇଛି । ଗତ ୩୧ ଅଗଷ୍ଟରେ ଭୁଲି ଓପି ଅଞ୍ଚଳର ଦାସ ଟୋଲାସ୍ଥିତ ପମ୍ପୁ ପୋଖରୀରୁ ମହିଳାଙ୍କ ମୃତଦେହକୁ ଜବତ କରାଯାଇଥିବା ଡିଏସପି ଦୀପକ କୁମାର ସୂଚନା ଦେଇଛନ୍ତି ।
ପୋଲିସ ଦେଇଥିବା ସୂଚନା ଅନୁସାରେ ଗତ କିଛି ଦିନ ଭିତରେ କେହି ଜଣେ ବ୍ୟକ୍ତି ହ୍ଵାଟ୍ସଆପ ଜରିଆରେ ମହିଳାଙ୍କ ମୃତଦେହର ଫଟୋକୁ ଭାଇରାଲ କରୁଥିଲା । ଟେକନିକାଲ ଯାଞ୍ଚ ପରେ ଗତ ରବିବାର ଦିନ ଭୁଲି ବାଇପାସ ରୋଡ଼ସ୍ଥିତ ସିଟି ସ୍କୁଲ ନିକଟରୁ ଫଟୋ ଭାଇରାଲ କରୁଥିବା ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛି ୪୧ ବର୍ଷିୟ ଇରଫାନ ଅନ୍ସାରି ।
ଅଭିଯୁକ୍ତକୁ ପଚରା ଉଚୁରା କରିବା ପରେ ଜଣା ପଡ଼ିଥିଲା ସେ ହିଁ ଏମିତି ନାରକୀୟ କାଣ୍ଡ ଘଟାଇଛି । ବହୁ ଦିନ ହେବ ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲା । ଏହାକୁ ନେଇ ଅଭିଯୁକ୍ତ ଏବଂ ଯୁବତୀଙ୍କ ଭାଇ ମଧ୍ୟରେ ବିବାଦ ହୋଇଥିଲା । ପରେ ଅଭିଯୁକ୍ତ ପ୍ରେମିକାର ଭାଇ ଠାରୁ ପ୍ରତିଶୋଧ ନେବା ପାଇଁ ଜଣେ ଅଜଣା ମହିଳାଙ୍କ ଜୀବନ ନେଇଥିଲା । ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।