କୁନୋ ଜାତୀୟ ଉଦ୍ୟାନରୁ ବାହାରି ଗାଁରେ ପଶିଲା ଆଫ୍ରିକୀୟ ଚିତା: ଜଙ୍ଗଲକୁ ଫେରାଇ ଆଣିବାକୁ ବନବିଭାଗର ଉଦ୍ୟମ
ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରୁ ଚିତା ବାଘ ବାହାରି ନିକଟ ଗାଁରେ ପଶିଛି। ନାମ୍ବିଆରୁ ଆସିଥିବା ଚିତା ଓବାନ ବିଜୟପୁରୀର ଝାର ବରୋଦା ଗାଁର ଏକ କ୍ଷେତରେ ପଶି ରହିଛି

ନୂଆଦିଲ୍ଲୀ : ଗାଁରେ ପଶିଲା ଆଫ୍ରିକୀୟ ଚିତା। ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରୁ ଚିତା ବାଘ ବାହାରି ନିକଟ ଗାଁରେ ପଶିଛି। ନାମ୍ବିଆରୁ ଆସିଥିବା ଚିତା ଓବାନ ବିଜୟପୁରୀର ଝାର ବରୋଦା ଗାଁର ଏକ କ୍ଷେତରେ ପଶି ରହିଛି। କୁନୋ ଜାତୀୟ ଅଭୟାରଣ୍ୟର ୨୦ କିମି ଦୂରରେ ରହିଛି ଝାର ବରୋଦା ଗାଁ। ଚିତାକୁ କାବୁ କରି ପୁଣି ଅଭୟାରଣ୍ୟକୁ ଫେରାଇ ଆଣିବାକୁ ଗାଁରେ ବନବିଭାଗ ଦଳ ପହଞ୍ଚିଛି। ସେପଟେ ଗାଁରେ ଚିତା ପଶିବା ଖବର ଜଣାପଡ଼ିବା ପରେ ଝାର ବରୋଦାରେ ହଇଚଇ ସୃଷ୍ଟି ହୋଇଛି।
ଏହି ଚିତାର ନାଁ ଓବାନ୍ ବୋଲି କୁହାଯାଉଛି, ଯାହାକୁ ସେପ୍ଟେମ୍ବର ୨୦୨୨ରେ ନାମ୍ବିଆରୁ ଭାରତକୁ ଅଣାଯାଇଥିଲା । ଫେବ୍ରୁଆରି ମାସରେ, ଏହି ଚିତାଗୁଡିକୁ ବଡ଼ ଏନକ୍ଲୋଜରରୁ ବାହାର କରି ଜଙ୍ଗଲକୁ ଛାଡି ଦିଆଯାଇଥିଲା । ଏବେ ଜଙ୍ଗଲରୁ ଚିତାଟି ଗାଁକୁ ଚାଲିଯାଇଥିବା ଜଣାପଡ଼ିଛି । ଚିତାକୁ ଘଉଡାଇବା ପାଇଁ ଗ୍ରାମବାସୀ ଲାଠି ଧରି ଜଗିଥିବା ବେଳେ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।