ଦିବ୍ୟାଙ୍ଗଙ୍କ ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା, ଦେଖିଲେ ଆପଣ ମଧ୍ୟ ରୋକିପାରିବେନି ଲୁହ

ସଫଳ ଉଦ୍ୟୋଗୀ ତଥା ମହେନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ତାଙ୍କ ଟ୍ଵିଟ୍‌ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥାଏ। କେତେବେଳେ ନିଜ ନିଆରା ଅନ୍ଦାଜ୍‌କୁ ନେଇ ତ ଆଉ କେତେ ବେଳେ ମଜାଳିଆ ଜୋକ୍ସ ସେୟାର କରି ସେ ଦୁନିଆକୁ ହସାଇଥାନ୍ତି। ଏଥିସହ ସେ ବେଳେବେଳେ କେତେକ ଯୁଗାଡ଼ ମଧ୍ୟ ସେୟାର କରିଥାନ୍ତି। କିନ୍ତୁ ଏଥରକ ଆନନ୍ଦ ନିଜ ଟାଇମ୍‌ ଲାଇନ୍‌ରେ କିଛି ଏଭଳି ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖି ଆପଣ ମଧ୍ୟ ଲୁହ ରୋକିପାରିବେ ନାହିଁ। ଦିବ୍ୟାଙ୍ଗଙ୍କ ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ ଏହି ଭିଡିଓ ଦେଖି ମୁଁ ମୋ ଲୁହ ରୋକିପାରିଲିନାହିଁ। ଆପଣ ମଧ୍ୟ ଭିଡିଓ ଦେଖିବା ପରେ ନିଜକୁ ସମ୍ଭାଳିପାରିବେ ନାହିଁ।

ଶନିବାର ଆନନ୍ଦ ମହିନ୍ଦ୍ରା ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଜଣେ ଦିବ୍ୟାଙ୍ଗ ବାଳକ ଅଛି ଯାହାର ହାତ ନାହିଁ। ଏଣୁ ଛୁଆଟି ପାଦରେ ଚାମଚ ସାହାଯ୍ୟରେ ଖାଦ୍ୟ ଖାଇବାକୁ ଚେଷ୍ଟା କରୁଛି। ପ୍ରଥମ ଚେଷ୍ଟାରେ ସେ ସଫଳ ହୋଇପାରିନଥିଲା। ତଥାପି ସେ ହାର୍‌ ମାନିନଥିଲା। ଦ୍ୱିତୀୟ ଥର ଚାମଚକୁ ଠିକ୍‌ କରି ପୁଣି ଚେଷ୍ଟା କରି ପିଲାଟି ସଫଳ ହୋଇଥିବା ଦେଖିବାକୁ ମିଳିଛି।

ଭିଡ଼ିଓରେ ଆନନ୍ଦ ଆହୁରି ମଧ୍ୟ ଲେଖିଛନ୍ତି,‘ କିଛିଦିନ ତଳେ ମୁଁ ମୋ ନାତିକୁ ଦେଖିଛି। ଏବେ ହ୍ଵାଟ୍ସଆପ୍‌ରେ ଏହି ଭିଡିଓକୁ ଦେଖି ମୁଁ ନିଜ କୋହ ସମ୍ଭାଳିପାରିଲିନାହିଁ। ଯେଉଁ ଜୀବନରେ ଅପୂର୍ଣ୍ଣତା ଓ ଚ୍ୟାଲେଞ୍ଜ ରହିଥାଏ, ତାହା ଏକ ଉପହାର। ଏବେ ଆମ ଉପରେ ନିର୍ଭର କରେ ଯେ ଆମେ କିପରି ଭାବେ ଏହାକୁ ବ୍ୟବହାର କରୁଛେ। ଏଭଳି ଭିଡିଓ ମୋତେ ସାହସ ଦେଇଥାଏ।’

ଆନନ୍ଦ ଦିବ୍ୟାଙ୍ଗଙ୍କ ଭିଡିଓ ସେୟାର କରିବା ପରେ ଆଉ କେତେକ ୟୁଜର ମଧ୍ୟ ସେହିଭଳି କେତେକ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଛି।

ଆନନ୍ଦଙ୍କ ଏହି ଭିଡିଓକୁ ମାତ୍ର ୬ ଘଣ୍ଟାରେ ୨ଲକ୍ଷରୁ ଅଧିକ କମେଣ୍ଟ ମିଳିସାରିଲାଣି। ଏଥିସହ ୫ ହଜାରୁ ଅଧିକ ଲୋକ ଏହାକୁ ରି-ଟ୍ଵିଟ୍‌ କରିସାରିଲେଣି।

ଏହାସହ ପଢ଼ନ୍ତୁ: ଉଇଗର ମୁସଲମାନଙ୍କୁ ଏପରି ଅକଥନୀୟ ଯନ୍ତ୍ରଣା ଦେଉଛି ଚୀନ୍‌, ଭାଇରାଲ ହେଉଛି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.