ପ୍ରକାଶ ପାଇଲା ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ସବୁଠାରୁ ଧନୀ ଚନ୍ଦ୍ରବାବୁ ନାଇଡୁ, ସବୁଠାରୁ ଗରିବ ମମତା ବାନାଜୀ

ଦେଶର ଧନୀ ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି । ଏଡିଆର ମୁତାବକ, ଦେଶର ୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ସବୁଠାରୁ ଧନୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ତାଙ୍କ ମୋଟ ସଂପତ୍ତି ୯୩୧ କୋଟି ବୋଲି ଜଣାପଡିଛି । ତାଙ୍କ ପଛକୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପେମା ଖଣ୍ଡୁଙ୍କ ସଂପତ୍ତି ୩୩୨ କୋଟି ରହିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସମ୍ପତ୍ତି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ତାଙ୍କ ସଂପତ୍ତି ୫୧ କୋଟି ରହିଛି । ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠୁ ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

୩୧ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୬୩୦ କୋଟି ଟଙ୍କା ରହିଛି । ୩୧ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସଂପତ୍ତି ୫୨.୫୯ କୋଟି ଟଙ୍କା ରହିଥିବା ଜଣାଯାଇଛି । ଚତୁର୍ଥ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପଞ୍ଚମ ସ୍ଥାନରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପତ୍ତି ୧କୋଟି ୯୭ଲକ୍ଷ ରହିଥିବା ଏଡିଆର ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଛି ।

ଧନୀ ତାଲିକାରେ ସବୁଠୁ ଶେଷରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମମତା ବାନାର୍ଜୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୫ଲକ୍ଷ । ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲାଙ୍କ ଗରିବ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ବିତୀୟରେ ରହିଛନ୍ତି । ତାଙ୍କ ମୋଟ ସମ୍ପତ୍ତିର ଦାମ୍ ୫୫ ଲକ୍ଷ ରହିଛି । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ମୋଟ ସମ୍ପତ୍ତି ୧.୧୮ କୋଟି ଟଙ୍କା ରହିଛି ।

ଦେଶରେ କେବଳ ଦୁଇ ଜଣ ମହିଳା ମୁଖ୍ୟମନ୍ତ୍ରୀ ରହିଛନ୍ତି । ମମତା ବାନାର୍ଜୀ ଏବଂ ଅତିଶୀ । ୩୮ ବର୍ଷୀୟ ଅତିଶୀ ଦେଶର ସବୁଠାରୁ କନିଷ୍ଠ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ୭୭ ବର୍ଷୀୟ ବିଜୟନ ଦେଶର ବୟଜ୍ୟେଷ୍ଠ ମୁଖ୍ୟମନ୍ତ୍ରୀ ।