ରାସ୍ତା ଉପରେ ୧୦ କ୍ୱିଣ୍ଟାଲ ଫୁଲକୋବି ଫିଙ୍ଗିଦେଲେ ଚାଷୀ, ତା’ପରେ କି ଅବସ୍ଥା ହେଲା ଦେଖନ୍ତୁ

ରାସ୍ତାରେ ଗଡ଼ୁଛି ହଜାର ହଜାର ଫୁଲକୋବି। ବ୍ୟାଗ୍‌, ଗାମୁଛା, ହାତ; ଯିଏ ଯେଉଁଥିରେ ପାଉଛି ବୋହି ନେଉଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଏଠାରେ ଜଣେ କୃଷକ ଝାଳ ବୁହାଇ ଜମିରେ ଚାଷ କରିଥିବା ସମସ୍ତ ଫୁଲକୋବିକୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ଫଳରେ ଲୋକମାନେ ମନ ଇଚ୍ଛା ବୋହିନେଇଥିଲେ।

ଏହି ଘଟଣା ଉତ୍ତର ପ୍ରଦେଶର ଜହାନାବରଦ ଅଞ୍ଚଳର କସ୍‌ବେ ନୂଆ ବସ୍ତିର। ଏଠାକାର ସଲିମ୍‌ ନାମକ ବ୍ୟକ୍ତି କୃଷି କାମ କରନ୍ତି। ସେ ନିଜର ୩ ଏକର ଜମିରେ ଚଳିତବର୍ଷ ପନିପରିବା ଚାଷ କରିଥିଲେ। ସେ କହିଛନ୍ତି, ଜମିର କିଛି ଅଂଶରେ ସେ ଫୁଲକୋବି ଚାଷ କରିଥିଲେ। ୮୦୦୦ ଟଙ୍କା ମଞ୍ଜି କିଣିବାରେ, ୪୦୦୦ ଟଙ୍କା ଫସଲ କାଟିବାରେ ଓ ମଣ୍ଡି ପର୍ଯ୍ୟନ୍ତ ଆଣିବାରେ ଖର୍ଚ୍ଚ କରିଥିଲେ। ତାଙ୍କ ପାଖରେ ପ୍ରାୟ ୧୦ କ୍ୱିଣ୍ଟାଲ କୋବି ଥିଲା। ସେ ମଣ୍ଡିକୁ ଆସିବା ପରେ ତାଙ୍କୁ କିଲୋ ପ୍ରତି ୧ ଟଙ୍କାରେ ବିକ୍ରି କରିବାକୁ କୁହାଯାଇଥିଲା।

farmer

ସେ କହିଛନ୍ତି, ବଜାରରେ କୋବି ୧୦ରୁ ୧୨ ଟଙ୍କାରେ ମିଳୁଛି। ଏଣୁ ସେ ସର୍ବନିମ୍ନ ୮ ଟଙ୍କା କିଲୋରେ ବିକ୍ରି କରିବାକୁ ହିସାବ କରିଥିଲେ। କିନ୍ତୁ ତାଙ୍କୁ ୧ ଟଙ୍କାରେ ବିକିବାକୁ କୁହାଯାଇଥିଲା। ଏହି କଥା ତାଙ୍କୁ ବହୁତ ବାଧିଥିଲା। କୋବି ପୁଣି ଫେରାଇ ନେବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ଏଣୁ ସେ ବିକିବା ଅପେକ୍ଷା କୋବି ଫିଙ୍ଗିବାକୁ ମନସ୍ଥ କରିଥିଲେ। କୋବି କିଣିବାକୁ କେହି ଆସୁନଥିବା ବେଳେ ଫିଙ୍ଗିବା ପରେ ଲୋକମାନେ ସେଠାରେ ଗହଳି କରିଥିଲେ ଓ ମନ ଇଚ୍ଛା କୋବି ବୋହି ନେଇଥିଲେ।

ସଲିମ୍‌ କହିଛନ୍ତି, ତାଙ୍କ ପାଖରେ ଫସଲ ବୁଣିବାକୁ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଏଣୁ ସେ ବ୍ୟାଙ୍କରୁ ଲୋନ୍‌ ନେବେ। ସେ କହିଛନ୍ତି, ତାଙ୍କ ପରିବାରରେ ମା’, ଭାଇ, ପତ୍ନୀ ଓ ଦୁଇ ପିଲା ଅଛନ୍ତି। ସେମାନଙ୍କ ସ୍କୁଲ ଫିସ୍‌ ମଧ୍ୟ ଦେବାକୁ ପଡ଼ିଥାଏ। ଏଣୁ ସରକାର ତାଙ୍କୁ ସାହାଯ୍ୟ କରିବାକୁ ସେ ଅନୁରୋଧ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.