ଅଗ୍ନିବୀରଙ୍କୁ ନେଇ ଆଉ ଏକ ବଡ଼ ଘୋଷଣା! ଅବସର ପରେ ଆଜୀବନ ମିଳିବ ଶସ୍ତା ଋଣ, ଟ୍ଵିଟ୍‌ କରି କହିଲେ ରାଜନାଥ ସିଂ

ଅଗ୍ନିବୀର ଯୋଜନାକୁ ନେଇ ସାରା ଦେଶରେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କରାଯାଇଥିବା ଟ୍ଵିଟ୍‌ରେ କୁହାଯାଇଛି, ଯେଉଁ ଯୁବକମାନେ ସେନାରେ ୪ ବର୍ଷ ସେବା ଦେବା ପରେ ବାହାରିବେ, ସେମାନଙ୍କୁ ଆଜୀବନ ଅଗ୍ନିବୀର ରୂପେ ଗ୍ରହଣ କରାଯିବ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମୋତେ ଖୁସି ଲାଗୁଛି, ଏହି ଅଗ୍ନିବୀରଙ୍କର ସୈନିକ ସେବା ସମାପ୍ତ ହେବା ପରେ ଅନେକ ସରକାରୀ ବିଭାଗରେ ଚୟନ ପାଇଁ ସେମାନଙ୍କୁ ପ୍ରାଥମିକତା ଦେବାକୁ ଘୋଷଣା କରାଯାଇଛି। ଯଦି ସେମାନେ ଅନ୍ୟ କୌଣସି କାମ କରିବାକୁ ଚାହିଁବେ, ତା’ ହେଲେ ସେମାନଙ୍କୁ ଶସ୍ତା ଦରରେ ଋଣ ସୁବିଧା ମଧ୍ୟ ପ୍ରଦାନ କରାଯିବ।

ରକ୍ଷାମନ୍ତ୍ରୀ ଆହୁରି କହିଛନ୍ତି, ଅଗ୍ନିବୀର ଦେଶର ସୈନ୍ୟବାହିନୀରେ କେବଳ ନୂତନ ନିଯୁକ୍ତି ଆଣିବାର ନାମ ନୁହେଁ, ବରଂ ସେମାନଙ୍କୁ ବି ସେହି କ୍ୱାଲିଟି ଟ୍ରେନିଙ୍ଗ୍‌ ଦିଆଯିବ, ଯାହା ଆଜି ସେନାର ଯବାନମାନଙ୍କୁ ମିଳୁଛି। ଟ୍ରେନିଙ୍ଗ୍‌ ସମୟ ଛୋଟ ହୋଇପାରେ, କିନ୍ତୁ କ୍ୱାଲିଟିରେ କୌଣସି ପ୍ରକାର ସାଲିସ୍‌ ହେବନାହିଁ।

ରାଜନାଥ ସିଂ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଦେଖା ଦେଇଥିବା ବିବାଦକୁ ନଜରରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନା ଏବଂ ନୌସେନାର ପ୍ରମୁଖମାନଙ୍କ ସହିତ ଅଗ୍ନିପଥ ସ୍କିମ୍‌କୁ ନେଇ ଚର୍ଚ୍ଚା କରିବେ। କୁହାଯାଉଛି ଯେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କୌଣସି ରାସ୍ତା ବାହାରିପାରେ। ବୈଠକରେ ପ୍ରତିରକ୍ଷା ମାମଲା ସହ ଜଡ଼ିତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.