ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର ! ୨ ଆତଙ୍କୀ ନିହତ, ୨ ଯବାନ ସହିଦ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ନିର୍ବାଚନ ପୂର୍ବରୁ ସୁରକ୍ଷା ଚ୍ୟାଲେଞ୍ଜ । କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ଜଣେ ଆର୍ମୀ ଅଫିସର ଓ ଜଣେ ଯବାନ ସହିଦ । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଶୁକ୍ରବାର ରାତିରେ ଆର୍ମୀ ଓ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଅପରେସନ୍ ଆରମ୍ଭ କରିଥିଲେ । ଛତ୍ରୋ ବେଲ୍ଟର ନଇଦଗାମ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ।
ଆର୍ମୀ ଅଫିସର ଜେସିଓ ନାଏବ ସୁବେଦାର ବିପିନ କୁମାର ଓ ସିପାହୀ ଅରବିନ୍ଦ ସିଂ ସହିଦ ହୋଇଛନ୍ତି । ଗୁରୁତର ହୋଇଥିବା ଦୁଇ ଯବାନଙ୍କୁ ଆର୍ମୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ । ସେପଟେ କଠୁଆରେ ଅନ୍ୟ ଏକ ଏନକାଉଣ୍ଟରରେ ୨ ଜଣ ଆତଙ୍କବାନୀ ନିହତ ହୋଇଛନ୍ତି । ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାସ୍ତାରେ ଯାଆସ କରୁଥିବା ବିଭିନ୍ନ ଗାଡ଼ିମୋଟରକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ ।
କିଛି ଦିନ ପୂର୍ବରୁ ଅର୍ଥାତ ଗତ ଜୁନ୍ରେ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ସେନାର ଅସ୍ଥାୟୀ ଅପରେଟିଂ ବେସ (TOB) ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ପାଞ୍ଚ ଜଣ ଯବାନ ଏବଂ ଜଣେ ସ୍ପେଶାଲ୍ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।