ପହଲଗାମ୍ ଆକ୍ରମଣ ପରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ଅନନ୍ତନାଗରେ ୧୭୫ ଜଣ ସନ୍ଦିଗ୍ଧ ଅଟକ

ପହଲଗାମ୍ ଘଟଣା ପରେ ଜମ୍ମୁ କଶ୍ମୀରର ସମ୍ବେଦନଶୀଳ ଅଞ୍ଚଳରେ ସେନା ଏବଂ ଅନ୍ୟ ସୁରକ୍ଷା ବଳର ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି । ସତର୍କତାର ସହିତ ଦିନରାତି ତଲାସୀ ଜୋରଦାର ଚାଲିଛି । ଏଥିରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ସେନା, ସିଆରପିଏଫ ସହଯୋଗରେ ଅନନ୍ତନାଗ ପୋଲିସ ଏମାନଙ୍କୁ ଅଟକ ରଖିଛି । ଆତଙ୍କବାଦୀ ଗତିବିଧିକୁ ସହାୟତା କରୁଥିବା ନେଟୱାର୍କକୁ ମଧ୍ୟ ଧ୍ବଂସ କରାଯାଇଛି ।

ଅନନ୍ତନାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଅଟକ ରଖାଯାଇଛି । ଆତଙ୍କୀଙ୍କୁ ସହଯୋଗ ଯୋଗାଇବା ଅଭିଯୋଗରେ ଅଟକ ରଖାଯାଇଛି । ଦିନ, ରାତି ସବୁ ବେଳେ ଚାଲିଛି ଯାଞ୍ଚ । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ପୋଲିସ ଜିଲ୍ଲାରେ ଶାନ୍ତି ବଜୟ ରଖିବା ପାଇଁ କହିଛି । ଜମ୍ମୁ ରାଜୌରୀ ପୁଞ୍ଛ ରାଜମାର୍ଗରେ ଗାଡିଗୁଡିକର ଯାଞ୍ଚ କରାଯାଉଛି । ପୋଲିସ ଏକ ବୟାନରେ କହିଛି, ‘ଏହି ଅଭିଯାନରେ ପୂରା ଜିଲ୍ଲାରେ ଅନେକ ସ୍ଥାନରେ ଚଢଉ କରାଯାଇଛି । ସତର୍କତା ସହ ଦିନ-ରାତି ସର୍ଚ୍ଚ ଅପରେସନ କରାଯାଉଛି ।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଆତଙ୍କବାଦୀମାନେ ଧର୍ମ ପଚାରି ଗୁଳି କରିଥିଲେ । ୨୬ ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଘନ ଘନ ବୈଠକ କରୁଛନ୍ତି । ପାକିସ୍ତାନକୁ ପାନେ ଦେବାକୁ ରଣନୀତି ପ୍ରସ୍ତୁତ କରାଯାଉଛି । ଏହାରି ଭିତରେ ଭାରତ ସୀମାରେ ସୁରକ୍ଷା ବଢାଯାଇଛି । ବଙ୍କରକୁ ପ୍ରସ୍ତୁତ ରଖାଯାଇଛି । ପହଲଗାମ ଆକ୍ରମଣ ଘଟଣା ପରେ ଆକ୍ସନରେ ସୁରକ୍ଷା ବାହିନୀ । ଏହି ନରସଂହାର ପଛରେ ଆତଙ୍କବାଦୀଙ୍କୁ କେଉଁମାନେ ସହଯୋଗ କରିଥିଲେ ସେ ନେଇ ଅନୁସନ୍ଧାନ ଚଳାଇଛି ସେନା ଓ ପୋଲିସ ।

Also Read : ପହଲଗାମ ଆକ୍ରମଣ ପରେ ମିଡିଆ ଉପରେ ବାରଣ, ସମ୍ବେଦନଶୀଳ ତଥା ସୁରକ୍ଷା କର୍ମୀଙ୍କ ଗତିବିଧି ପ୍ରସାରଣକୁ ମନା