୫୦୦ ଟଙ୍କିଆ ନୋଟରୁ ଗାଏବ ହେଲେ ଗାନ୍ଧି । ଆଉ ନୋଟରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମ ଖେରଙ୍କ ଫଟୋ ଲଗାଇ ଦୁର୍ବୃତ୍ତ ଠକି ନେଲେ ୨ କିଲୋ ସୁନା । ଯାହାର ମୂଲ୍ୟ ପାଖାପାଖି ୧ କୋଟି ୯୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗୁଜରାଟ ଅହମ୍ମଦାବାଦରେ ଏଭଳି ଠକେଇ ମାମଲା ସାମ୍ନାକୁ ଆସିଛି ।
ଖବର ମୁତାବକ, ଗୁଜରାଟ ଅହମ୍ମଦାବାଦର ସରାଫା ବଜାରରେ ଏକ ଜୁଏଲାରୀ ଦୋକାନରୁ ୨୧୦୦ ଗ୍ରାମ ସୁନା କିଣିବାକୁ କହି ୧ କୋଟି ୩୦ ଲକ୍ଷର ନକଲି ନୋଟ ଦେଇଥିଲେ ୩ ଦୁର୍ବୃତ୍ତ । ବାକି ୩୦ ଲକ୍ଷ ଅଫିସରୁ ନେଇ ଆସୁଛି ବୋଲି କହିଥିଲା ଦୁର୍ବୃତ୍ତ । ଏହାପରେ ସୁନା ନେଇ ଫେରାର ହୋଇଯାଇଥିଲେ ଠକ ।
ସିଜି ରୋଡ ସ୍ଥିତ ଲକ୍ଷ୍ମୀ ଜୁଏଲାରୀର ମ୍ୟାନେଜର ପ୍ରଶାନ୍ତ ପଟେଲ ସରାଫାର ଦୋକାନୀ ମେହୁଲ ଠକ୍କରଙ୍କୁ ପଟେଲ କାନ୍ତିଲାଲ ମଦନ ଲାଲଙ୍କ ଫାର୍ମରୁ ୨୧୦୦ ଗ୍ରାମ ସୁନା ଦେବାକୁ କହିଥିଲେ । ମେହୁଲ ନିଜ କର୍ମଚାରୀ ଭରତ ଯୋଶୀଙ୍କୁ ୨୧୦୦ ଗ୍ରାମ ସୁନା ମଦନଲାଲ ଫାର୍ମରୁ ଆଣିବା ପାଇଁ ପହଞ୍ଚିଥିଲେ । ଭରତ ସେଠାରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି କାଉଣ୍ଟିଂ ମେସିନ ଦେଇଥିଲେ । ଅନ୍ୟ ଜଣେ ବ୍ୟକ୍ତି ଭରତଙ୍କ ଠାରୁ ସୁନା ନେଇଥିବା ବେଳେ ତୃତୀୟ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ବାହାର କରି ଗଣିବା ପାଇଁ କହିଥିଲେ । ଆଉ କହିଥିଲେ, ଏଥିରେ ୧.୩୦ କୋଟି ଟଙ୍କା ରହିଛି, ବାକି ୩୦ ଲକ୍ଷ ଅଫିସରୁ ନେଇ ଆସୁଛି ।
ଏହାପରେ ଭରତଙ୍କ ଆଖିରେ ଧୂଳି ଦେଇ ପାଖାପାଖି ୧ କୋଟି ୯୦ ଲକ୍ଷ ଟଙ୍କାର ୨ କିଲୋ ସୁନା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ତେବେ ନୋଟ ଗଣତି ବେଳେ ୫୦୦ ଟଙ୍କିଆ ନୋଟ୍ରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମ ଖେରଙ୍କ ଫଟୋ ଦେଖି ଚକିତ ହୋଇପଡିଥିଲେ ସୁନା ଦୋକାନୀ । ଏହାପରେ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ ।
ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ନୋଟ୍ ଅନୁପମ ଖେରଙ୍କ ଫୋଟ ଥିବା ସହ ରିର୍ଜଭ ବ୍ୟାଙ୍କ ସ୍ଥାନରେ ରେସୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖାଯାଇଛି । ୩ ଠକ ଫେରାର ଥିବା ବେଳେ ପୋଲିସ ତନାଘନା ଜାରି ରଖିଛି ।