ଆଇଆଇଟି ମାଡ୍ରାସ୍‌ରେ କେହି ବି ମାଗଣାରେ ପଢ଼ିପାରିବେ କମ୍ପ୍ୟୁଟର ସାଇନ୍ସ! JEE ର‍୍ୟାଙ୍କ୍‌ର ଆବଶ୍ୟକତା ନାହିଁ…

ଦେଶର ଶୀର୍ଷ ର‍୍ୟାଙ୍କିଙ୍ଗ୍‌ ଆଇଆଇଟି ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ’ କମ୍ପ୍ୟୁଟର ସାଇନ୍ସରେ ନିଜର ଉଚ୍ଚ ଗୁଣାବତ୍ତା ପାଠ୍ୟକ୍ରମ ସମସ୍ତଙ୍କୁ ଉପଲବ୍ଧ କରାଇବା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି। କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପକମାନେ ଏକ ପୋର୍ଟାଲ୍ ତିଆରି କରିଛନ୍ତି, ଯେଉଁଥିରେ ମୁଖ୍ୟ ପାଠ୍ୟକ୍ରମ ଉପଲବ୍ଧ ରହିଛି। ଏଗୁଡ଼ିକୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ଏବଂ ଆଗ୍ରହୀ ଥିବା ଅନ୍ୟ ବ୍ୟକ୍ତିମାନେ ମଧ୍ୟ ଆକ୍ସେସ୍‌ କରି ପାରିବେ।

ଅନୁଷ୍ଠାନ ଏକ ଅଫିସିଆଲ ବୟାନରେ କହିଛି ଯେ ଏହି ପଦକ୍ଷେପ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି କାମକୋଟିଙ୍କ ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ, ଯିଏ ଗ୍ରାମୀଣ ଭାରତ ପାଇଁ ଉଚ୍ଚ ଗୁଣାବତ୍ତା ଶିକ୍ଷାକୁ ସୁଲଭ କରିବାକୁ ଚେଷ୍ଟିତ ଅଛନ୍ତି। ଏହି ପୋର୍ଟାଲ nsm.iitm.ac.in/cse/ରେ ମୁଖ୍ୟ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ଉପଲବ୍ଧ ରହିଛି, ଯେଉଁଥିରେ ପ୍ରୋଗ୍ରାମିଂ, ଡାଟା ଷ୍ଟ୍ରକ୍ଚର, କମ୍ପ୍ୟୁଟର ସଂଗଠନ, ଆଲ୍‌ଗୋରିଦମ୍‌ ଆଦି ଅନ୍ତର୍ଭୁକ୍ତ ଅଛି। ପ୍ରତ୍ୟେକ ପାଠ୍ୟକ୍ରମର ୟୁଟ୍ୟୁବ୍ ରେକର୍ଡିଂ ରହିଛି, ଯାହା ମହାମାରୀ ସମୟରେ ଆଇଆଇଟି ମାଡ୍ରାସରେ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଇଥିଲା।

iit2
photo: bldnews

ଭାରତରେ ସବୁଠାରୁ ଅଧିକ ଡିମାଣ୍ଡରେ ଥିବା ଇଞ୍ଜିନିୟରିଂ ବିଷୟ ଗୁଡ଼ିକ ମଧ୍ୟରୁ କମ୍ପ୍ୟୁଟର ସାଇନ୍ସ ଅନ୍ୟତମ। ଏହା ବିଶେଷ କରି ଆଇଆଇଟିରେ ଖୋଜା ପଡ଼ିଥାଏ। ଆଉ ଏଥିପ୍ରତି ଛାତ୍ରଛାତ୍ରୀ ମାନଙ୍କର ବି ଅଧିକ ରୁଚି ରହିଥାଏ। ବହୁ ସଂଖ୍ୟକ ଛାତ୍ର ଆଇଆଇଟିରେ ଏହି ଷ୍ଟ୍ରିମ୍ ପାଇଁ ଆବେଦନ କରନ୍ତି, ହେଲେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗରେ ସୀମିତ ସଂଖ୍ୟକ ସିଟ୍ ଉପଲବ୍ଧ ରହିଥାଏ। ମୁଖ୍ୟତଃ ଦେଶ ବାହାର ଏବଂ ଗ୍ରାମାଞ୍ଚଳରୁ ଯେଉଁମାନେ ଆଇଆଇଟି ମାଡ୍ରାସରେ ପଢ଼ିପାରୁ ନାହାନ୍ତି, ସେହି ମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପୋର୍ଟାଲ ତିଆରି କରାଯାଇଛି।

ଏ ନେଇ ଆଇଆଇଟି ମାଡ୍ରାସର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ରୂପେଶ ନସରେ କହିଛନ୍ତି ଯେ ଆଇଆଇଟି ମାଡ୍ରାସରେ ପଢ଼ିପାରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଏହି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ଅନୁଷ୍ଠାନରେ ପଢ଼ା ଯାଉଥିବା ପାଠ୍ୟକ୍ରମ ମାଗଣାରେ ସେମାନଙ୍କ ପାଖରେ ପହଞ୍ଚି ପାରିବ। ଏହି ପଦକ୍ଷେପ ନିଶ୍ଚିତ କରିବ ଯେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ପାଠ୍ୟକ୍ରମ ଉପଲବ୍ଧ ହୋଇପାରୁଛି। ପଦକ୍ଷେପର ଲାଭ ଉଠାଉଥିବା ଛାତ୍ରଛାତ୍ରୀ ସ୍ୱ-ମୂଲ୍ୟାଙ୍କନ ନିମନ୍ତେ ପୋର୍ଟାଲରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବି ଭାଗ ନେଇପାରିବେ ଏବଂ ପାଠ୍ୟକ୍ରମଗୁଡ଼ିକର ନିଜ ବୁଝିବା ସ୍ତର ବିଷୟରେ ଜାଣି ପାରିବେ।

Leave A Reply

Your email address will not be published.