ଟୀକା କିଣାବିକା ନେଇ ସବିଶେଷ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

କେନ୍ଦ୍ର ସରକାର କେତେ ପରିମାଣର କୋଭିଡ ଟିକା କିଣିଛନ୍ତି | ଏହାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ କିଣା ବିକାର ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହା ସହ ଟିକାକରଣ କେବେ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ଏସ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ରିପୋର୍ଟ ତଲବ କରିଛନ୍ତି। କେତେ ପରିମାଣର କୋଭାକ୍ସିନ, କୋଭିସଲ୍‌ଡ ଓ ସ୍ପୁଟନିକ ଟିକା କିଣାଯାଇଛି ତାର ସଂପୂର୍ଣ୍ଣ ତାଲିକା ପ୍ରଦାନ କରିବେ କେନ୍ଦ୍ର ସରକାର। ଏହା ସହ ନିର୍ଦ୍ଦେଶାବଳୀରେ ତିନିଟି ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ୩ଟି ଟିକା କିଣିବା ପାଇଁ କେଉଁ ତାରିଖରେ

ବରାଦ ଦିଆଯାଇଥିଲା ତଥା ପ୍ରତ୍ୟେକ ତାରିଖରେ କେତେ ପରିମାଣର ଟିକା ବରାଦ କରାଯାଇଥିଲା ଓ କେତେ ତାରିଖ ସୁଦ୍ଧା ଟିକା ଯୋଗାଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ଜାଣିବାକୁ ଚାହିଁଛନ୍ତି ଖଣ୍ଡପୀଠ। ଏହାସହ ଦେଶର ଅବଶିଷ୍ଟ ଲୋକଙ୍କୁ ତିନିଟି ପର୍ଯ୍ୟାୟରେ କିପରି ଓ କେବେ ସୁଦ୍ଧା ଟିକାକରଣ କରାଯିବ ସେ ସଂପର୍କରେ ବିସ୍ତୃତ ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ କୋଭିଡ ପରିଚାଳନା ସଂପର୍କିତ ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହା ସହ ତିନିଟି ପର୍ଯ୍ୟାୟରେ ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ କାହାକୁ ଗୋଟିଏ ଡୋଜ ଓ କାହାକୁ ଦୁଇଟି ଯାକ ଡୋଜ ଟିକାକରଣ କରାଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କେତେ ପ୍ରତିଶତ ବ୍ୟକ୍ତିଙ୍କ ଟିକାକରଣ ହୋଇଛି ଜଣାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ | ମ୍ୟୁ୍‌କରମାଇକୋସିସ୍‌ ପାଇଁ ଡ୍ରଗ୍‌ସ ମହଜୁଦ ରଖିବାକୁ କଣ ପଦକ୍ଷେପ ନିଆଯାଇଛି ଏ ପ୍ରଶ୍ନ ବି ପଚାରିଛନ୍ତି ସୁପ୍ରିମକୋର୍ଟ। ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

କେନ୍ଦ୍ର ସରକାର ମେ ୯ ତାରିଖରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ କୁହାଯାଇଥିଲାକି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ନିଜ ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ । କୋର୍ଟ କହିଛନ୍ତି, ଆଗରେ ସବୁ ରାଜ୍ୟ ଏହି ତଥ୍ୟ ଉପରେ ସତ୍ୟପାଠ ଦାଖଲ କରିବା ଗୁରୁତ୍ୱପୂର୍ଣ୍ଣ । ତେଣୁ ସବୁ ରାଜ୍ୟ ନିଜ ସ୍ଥିତି ସ୍ପଷ୍ଟ କରି ନିଜ ଟିକା ନୀତି ପ୍ରସଙ୍ଗରେ ଦୁଇ ସପ୍ତାହ ମଧ୍ୟରେ ସତ୍ୟାପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୩୦ ତାରିଖରେ ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.