ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ନିର୍ଦ୍ଦୟତାର ସବୁ ସୀମା ଟପି ସେନାର ଜଣେ ଯବାନ ମହିଳାଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି । ମହିଳାଙ୍କ ପ୍ରାଇଭେଟ୍ ପାର୍ଟକୁ ଅଭିଯୁକ୍ତ ଯବାନ ଶକ୍ତ ଆଘାତ କରିଛନ୍ତି, ଯାହାଫଳରେ ମହିଳା ଜଣକ ଚାଲିପାରୁ ନାହାନ୍ତି । ବର୍ତ୍ତମାନ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଏ ସମ୍ପର୍କରେ ସୂଚନା ଦେଇ ମହିଳା ଥାନା ଅଧିକାରୀ କୌଶଲ୍ୟା ଚୌହାନ କହିଛନ୍ତି, ଆସାମରେ ନିୟୋଜିତ ଜଣେ ଯବାନ ଛୁଟିରେ ଇନ୍ଦୋର ଆସିଥିଲେ । ଏଠାରେ ସେ ଏକ ହୋଟେଲରେ ରହିଥିଲେ । ଏହି ସମୟରେ ପୂର୍ବରୁ ପରିଚିତା ଜଣେ ମହିଳା ତାଙ୍କୁ ଭେଟିବା ପାଇଁ ଆସିଥିଲେ । ମହିଳା ଜଣକ ହୋଟେଲ ରୁମ୍କୁ ଯିବା କ୍ଷଣି ଯବାନ ତାଙ୍କ ସହିତ ଜୋର୍ ଜବରଦସ୍ତି କରିଥିଲେ ଏବଂ ଏହାପରେ ଦୁଷ୍କର୍ମ କାଣ୍ଡ ଘଟାଇଥିଲେ ।
ଘଟଣା ପରେ ପୀଡ଼ିତା ଥାନାରେ ପହଞ୍ଚିଥିଲେ ଏବଂ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଞ୍ଜୟ ନାମକ ଯବାନଙ୍କୁ ଗିରଫ କରିଛି । ଏହା ସହିତ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ସେପଟେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।
ପୋଲିସ କହିଛି ଯେ ଯବାନଙ୍କ ପାଖରେ ଅଶ୍ଳୀଳ ଭିଡିଓ ମଧ୍ୟ ରହିଛି । ଏହାର ଯାଞ୍ଚ କରାଯାଉଛି । ପୀଡ଼ିତା ଅଭିଯୋଗ କରିଛନ୍ତି କି, ତାଙ୍କ ପ୍ରାଇଭେଟ୍ ପାର୍ଟକୁ ଅଭିଯୁକ୍ତ ଶକ୍ତ ଆଘାତ କରିଛନ୍ତି, ଯାହାଫଳରେ ସେ ଚାଲିପାରୁ ନାହାନ୍ତି ।