ବାଂଲାଦେଶ: ସେନା ଗାଡ଼ି ଉପରେ ଆକ୍ରମଣ, ୧୫ ଆହତ; ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରୁଥିଲେ ପ୍ରଦର୍ଶନକାରୀ

ବାଂଲାଦେଶରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଅନେକ ଦିନରୁ ଜାରି ରହିଥିବା ହିଂସା ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏହାରି ମଧ୍ୟରେ ସେନା ଗାଡ଼ି ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଗୋପାଳଗଞ୍ଜ ଅଞ୍ଚଳରେ ପ୍ରଦର୍ଶନକାରୀ ଯବାନମାନଙ୍କ ଉପରେ ଆକ୍ରମଣ କରିଥିବା ଖବର ରହିଛି । ଢାକା ଟ୍ରିବ୍ୟୁନ୍‌ର ରିପୋର୍ଟ ମୁତାବକ, ଏହି ଘଟଣାରେ ଯବାନ, ସାମ୍ବାଦିକ ଏବଂ ସ୍ଥାନୀୟ ଲୋକଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି ।

ଶନିବାର ଅପରାହ୍ନ ପ୍ରାୟ ୪ଟାରେ ଆଓ୍ଵାମୀ ଲିଗ୍‌ର ହଜାର ହଜାର କର୍ମୀ ଯେତେବେଳେ ଶେଖ୍‌ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା । ପ୍ରଦର୍ଶନକାରୀ ଢାକା-ଖୁଲନା ରାଜପଥ ଅବରୋଧ କରି ହସିନାଙ୍କୁ ଦେଶକୁ ଫେରାଇ ଆଣିବାକୁ ଦାବି କରିଥିଲେ ।

ଏହି ସମୟରେ ସେନା ସେଠାରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟିବାକୁ ନିବେଦନ କରିଥିଲା । କିନ୍ତୁ ଉତ୍ତ୍ୟକ୍ତ ଜନତା ସେମାନଙ୍କ ଉପରକୁ ଇଟା ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଏହାପରେ ଜନତାଙ୍କୁ ଘୋଉଡ଼ାଇବା ପାଇଁ ଯବାନମାନେ ଲାଠିଚାର୍ଜ କରିଥିଲେ । ଏହାର ଜବାବରେ ପ୍ରଦର୍ଶନକାରୀ ସେନାର ଗାଡ଼ି ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ ।

ଗୋପାଳଗଞ୍ଜ କ୍ୟାମ୍ପ୍‌ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମକସୁଦୁର ରେହମାନ ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ପାଖାପାଖି ୩୦୦୦ରୁ ୪୦୦୦ ଜନତା ଏକତ୍ରିତ ହୋଇ ରାସ୍ତା ଜାମ୍‌ କରିଥିଲେ । ସେମାନଙ୍କ ଆକ୍ରମଣରେ ସେନାର ଅନେକ ଯବାନ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଗୁଳି ଚଳାଇଥିଲା । ଏହି ସମୟରେ ଜଣେ ଶିଶୁ ସମେତ ୨ ଜଣଙ୍କ ଦେହରେ ଗୁଳି ବାଜିଛି ।

ସେପଟେ ପଡ଼ୋଶୀ ଦେଶରେ ଅଶାନ୍ତି ସ୍ଥିତିକୁ ନଜରରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ-ଆଲର୍ଟ ଜାରି କରାଯାଇଛି । ଜଳପଥ ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି । ତଟରକ୍ଷୀ ବାହିନୀ ଓ ମେରାଇନ ପୋଲିସ ଜଗିଛନ୍ତି । ଓଡ଼ିଶାରେ ବି ସତର୍କ ରହିଛନ୍ତି ସୁରକ୍ଷା କର୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like