ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିର ଏମଡି-ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ମୁମ୍ବାଇ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି। ଆଜି ସକାଳୁ ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୋଲିସ୍ ଜୋର ଜବରଦସ୍ତ ପଶି ତାଙ୍କୁ ଉଠାଇ ନେଇ ଗିରଫ କରିଥିବା ଜଣାପଡ଼ିଛି।
ଏପରିକି ଅର୍ଣ୍ଣବଙ୍କ ସହିତ ପୋଲିସ ଟଣାଓଟରା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏମିତିକି ଅର୍ଣ୍ଣବଙ୍କୁ ଔଷଧ ଖାଇବାକୁ ମଧ୍ୟ ଦିଆଯାଇ ନ ଥିବା ସୂଚନା ମିଳିଛି। ସବୁଠାରୁ ବଡ କଥା ହେଉଛି ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବାଇ ପୋଲିସ୍ ପାଖରେ କୌଣସି ସମନ୍ କିମ୍ବା କୋର୍ଟ ଦସ୍ତାବିଜ ନ ଥିବା ସୂଚନା ମିଳିଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିପବ୍ଲିକ ନେଟୱାର୍କ ୨୦୧୮ରେ ଏକ ଇଣ୍ଟେରିଅର ଡିଜାଇନରଙ୍କ ୮୩ ଲକ୍ଷ ଟଙ୍କା ପ୍ରାପ୍ୟ ନ ଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଥିଲା। ଏଥିସହିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଟିଭି ଡିବେଟ ସମୟରେ ଅନେକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ରହିଥିଲା। ଏହି ମାମଲାରେ ତାଙ୍କ ବିରୁଦ୍ଧରେ ଦୁଇଟି କେସ୍ ମଧ୍ୟ ରୁଜୁ ହୋଇଛି।