ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଉଦ୍ଯାପନୀ ଉତ୍ସବ ସମାପ୍ତ ହୋଇଛି । ପାକିସ୍ତାନର ଜାଭେଲିନ ଥ୍ରୋ ଷ୍ଟାର ଅର୍ଶଦ ନଦିମ ସ୍ୱର୍ଣ୍ଣ ଜିତିଥିଲେ । ନୀରଜ ଚୋପ୍ରା ରୌପ୍ୟ ଜିତିଥିଲେ । ତେବେ ନଦିମ ସ୍ୱର୍ଣ୍ଣ ଜିତିବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି । ନଦିମ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ଅଭିନେତାଙ୍କ ଠାରୁ ଆରମ୍ଭ କରି ବିଜନେସ ମ୍ୟାନ ପର୍ଯ୍ୟନ୍ତ ନଦିମଙ୍କୁ ସାକ୍ଷାତ କରୁଛନ୍ତି । ତେବେ ଏହାରି ମଧ୍ୟରେ ନଦିମ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାରେ ସାମିଲ ହାରିସ ଡାରଙ୍କ ସହିତ ସାକ୍ଷାତ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ହାରିସ ଡାର ଭାରତ ସରକାରଙ୍କ ନଜରରେ ଆତଙ୍କବାଦୀ । ଭିଡିଓରେ ଦେଖିବାକୁ ମିଳିଛି କି, ନଦିମ ଏବଂ ହାରିସ ଡାର ପରସ୍ପର ସହିତ କଥା ହେଉଛନ୍ତି । ତେବେ ନଦିମ ଆତଙ୍କବାଦୀ ସହିତ ଭିଡିଓ ଭାଇରଲ ହେବା ପରେ ନୀରଜ ଚୋପ୍ରା ଟାର୍ଗେଟ ହୋଇଛନ୍ତି । ଫ୍ୟାନ୍ସ ନୀରଜ ଚୋପ୍ରାଙ୍କୁ ନଦିମଙ୍କ ଠାରୁ ଦୂରେଇ ରହିବାକୁ କହିଛନ୍ତି ।
ନିକଟରେ ନୀରଜ ରୌପ୍ୟ ଜିତିବା ପରେ ଏକ ପ୍ରତିକ୍ରିୟା ଦେଇ ତାଙ୍କ ମା’ ନଦିମଙ୍କୁ ନିଜ ପୁଅ ବୋଲି କହିଥିଲେ । ଦୁହେଁ ଭଲ ବନ୍ଧୁ ମଧ୍ୟ । ଅଲିମ୍ପିକ୍ସରେ ଏକାଠି ଦୁହିଁଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ପ୍ୟାରିସ ଅଲିମ୍ପିକ୍ସରେ ନଦିମ ୯୨.୯୭ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ନୀରଜ ଚୋପ୍ରା ୮୯.୪୫ ମିଟର ପକାଇ ରୌପ୍ୟ ପଦକ ହାତେଇଥିଲେ ।
ସୂଚନାଯୋଗ୍ୟ, ଆମେରିକାର ଡିପାର୍ଟମେଣ୍ଟ ଅଫ ଟ୍ରେଜେରୀ ମୁସଲିମ ଲିଗ ପାର୍ଟିର ୭ ଆତଙ୍କୀକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିଥିଲେ । ଏଥିରେ ମୋହମ୍ମଦ ହାରିସ ଡାର ନାମ ଥିଲା । ଲସ୍କର ଏ ତୋଏବା ପାଇଁ ହାରିସ କାମ କରୁଥିବା ଅଭିଯୋଗ ମଧ୍ୟ ରହିଛି ।