ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ ହାସଲ କରିଛି । ବିଜେପି ବ୍ୟତୀତ ନ୍ୟାସନାଲ ପିପୁଲ୍ସ ପାର୍ଟି ୫, ଏନସିପି ୩, ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ (ପିପିଏ) ୨ଟି ସିଟ୍ ମିଳିଛି । ଏହାଛଡା କଂଗ୍ରେସକୁ ୧ଟି ସିଟ୍ ମିଳିଛି । ଏଠାରେ ୧୯ ଏପ୍ରିଲରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହୋଇଥିଲା । ଫଳରେ ବିଜେପି ବହୁମତରେ ବିଜୟ ପାଇଛି । ତେବେ ଏହି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଏଠାରେ ପୁଣି ଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।
ବିଜେପି ନେତୃତ୍ୱାଧିନ ପେମା ଖାଣ୍ଡୁଙ୍କ ଦଳ ପୁଣି ସରକାର ଗଢିବାକୁ ଯାଉଛି । ୨୦୨୯ ନିର୍ବାଚନରେ ବିଜେପି ୪୧ ସିଟରେ ବିଜୟ ପାଇଥିଲା । ଏଥର ବିଜେପି ମୋଟ ୬୦ଟି ଆସନରୁ ୪୬ଟି ଆସନରେ ପ୍ରାର୍ଥୀ ଦେଇଥିଲା । ପୂର୍ବରୁ ବିଜେପିର ୧୦ଜଣ ପ୍ରାର୍ଥୀ ଏଠାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି । ତେବେ ବିଜେପିର ବିଜୟ ପରେ ରାଜ୍ୟ ବିଜେପିରେ ଉତ୍ସବ ମୁଖର ମାହୋଲ ହୋଇଛି ।
ସେହିପରି ସିକ୍କିମ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତୋମାଙ୍ଗଙ୍କ ପାର୍ଟି ବହୁମତ ହାସଲ କରିଛି । ପାର୍ଟି ୧୮ଟି ସିଟରେ ବିଜୟ ହାସଲ କରିଛି । ୩୨ ସଦସ୍ୟ ବିଶିଷ୍ଟ ସିକ୍କିମ ବିଧାନସଭାରେ ବହୁମତ ପାଇଁ ୧୭ ସିଟ ଦରକାର । ସିକ୍କିମରେ ୩୨ ସିଟରୁ ୩୧ ସିଟ୍ ପୋଛିନେଲା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା । ବିରୋଧୀ ଦଳ ମାତ୍ର ଗୋଟିଏ ସିଟ୍ ହାସଲ କରିଛି । ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ ସିଂ ଚାମଲିଙ୍ଗ ତାଙ୍କର ୨ଟି ବିଧାନସଭା ଆସନରୁ ହାରିଛନ୍ତି ।