ଦିଲ୍ଲୀ ମଦ ଦୁର୍ନୀତି: ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ସୁପ୍ରିମ୍‌କୋର୍ଟ ଦେଲେ ଅନ୍ତରୀଣ ଜାମିନ୍‌

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ସୁପ୍ରିମ୍‌କୋର୍ଟ କେଜ୍ରିଓ୍ଵାଲଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠକୁ ପଠାଇଛନ୍ତି । ଅରବିନ୍ଦ କେଜ୍ରିଓ୍ଵାଲ ଇଡିର ଗିରଫଦାରୀକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ମନି ଲଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୨୧ରେ ଇଡି ସିଏମ୍‌ କେଜ୍ରିଓ୍ଵାଲଙ୍କୁ ଗିରଫ କରିଥିଲା । ତେବେ ବର୍ତ୍ତମାନ କେଜ୍ରିଓ୍ଵାଲ ଜେଲ୍‌ରୁ ବାହାରି ପାରିବେ ନାହିଁ । କାରଣ, ସିବିଆଇ ମାମଲାରେ ଏବେ ସେ ନ୍ୟାୟିକ ହେପାଜତରେ ଅଛନ୍ତି । ଜେଲ୍‌ରୁ ବାହାରିବା ପାଇଁ ତାଙ୍କୁ ଏଥିରେ ମଧ୍ୟ ଜାମିନ୍‌ ନେବାକୁ ପଡ଼ିବ ।

କହି ରଖୁଛୁ ଯେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ଵାଲ ଇଡିର ଗିରଫଦାରୀକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହା ଉପରେ ସୁପ୍ରିମ୍‌କୋର୍ଟ ରାୟ ଶୁଣାଇଛନ୍ତି । ଆବେଦନର ଶୁଣାଣି ବେଳେ ଇଡି ଏବଂ କେଜ୍ରିଓ୍ଵାଲଙ୍କ ଓକିଲ ଉପସ୍ଥିତ ଥିଲେ । ଏହି ସମୟରେ ସୁପ୍ରିମ୍‌କୋର୍ଟ ୩ଟି ପ୍ରଶ୍ନ କରିଥିଲେ । ସର୍ବୋଚ୍ଚ ଅଦାଲତ ମାମଲାକୁ ଏକ ବୃହତ୍‌ ଖଣ୍ଡପୀଠକୁ ପଠାଇଛନ୍ତି ।

ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି । ଖଣ୍ଡପୀଠ ମେ’ ୧୭ରେ କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଥିଲେ । ଖଣ୍ଡପୀଠରେ ଜଷ୍ଟିସ୍‌ ଦୀପଙ୍କର ଦତ୍ତା ମଧ୍ୟ ଅଛନ୍ତି । ଏପ୍ରିଲ ୧୫ରେ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିଓ୍ଵାଲ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ଇଡିଠାରୁ ଜବାବ ମାଗିଥିଲେ ।