ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଲାଗିଲା ଝଟକା, ୩ ଜୁଲାଇ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନ୍ୟାୟିକ ହେପାଜତକୁ ୩ ଜୁଲାଇ ପର୍ଯ୍ୟନ୍ତ ବଢାଇଛନ୍ତି । କେବଳ କେଜ୍ରିଓ୍ଵାଲ ନୁହେଁ ଅବକାରୀ ନୀତି ମାମଲାରେ ଅଭିଯୁକ୍ତ ବିନୋଦ ଚୌହ୍ଵାନଙ୍କ ନ୍ୟାୟିକ ହେପାଜତକୁ ମଧ୍ୟ ବଢାଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଓକିଲ କୋର୍ଟରେ କହିଛନ୍ତି, ବିନୋଦ ଚୌହ୍ଵାନ ବିଆରଏସ ନେତା କବିତାଙ୍କ ପିଏ ଜରିଆରେ ୨୫ କୋଟି ଟଙ୍କା ମିଳିଥିଲା । ସେହି ଟଙ୍କାକୁ ଗୋଆ ନିର୍ବାଚନ ପାଇଁ ଅଭିଷେକ ବାଇନପଲ୍ଲୀ ଜରିଆରେ ଟଙ୍କା ମିଳିଥିଲା । ଏହା ସହିତ ତାଙ୍କୁ କୁହାଯାଇଥିଲା କି, ଚଳିତ ମାସ ଶେଷରେ ବିନୋଦଙ୍କ ବିପକ୍ଷରେ ଅଭିଯୋଗ ଦାୟର କରାଯିବ । ମଇରେ ବିନୋଦଙ୍କୁ ଗିରଫ କରିଥିଲା ପୋଲିସ ।

ସୂଚନାଯୋଗ୍ୟ, କୋର୍ଟ ଗତ ମେ’ ୧୦ରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିଥିଲେ । ତାଙ୍କ ଜାମିନ ଜୁନ୍‌ ୨ରେ ଶେଷ ହେଉଥିବା ବେଳେ ପୁଣି ତାଙ୍କୁ ତିହାର ଜେଲ୍‌ ଫେରିବାକୁ ପଡ଼ିଥିଲା । ତେବେ ଏହାପୂର୍ବରୁ କେଜ୍ରିୱାଲ ତାଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ ମେଡିକାଲ ଟେଷ୍ଟକୁ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆହୁରି ୭ ଦିନ ବଢ଼ାଇବାକୁ ଅନୁରୋଧ କରିଥିଲେ । ଏହି ଆବେଦନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା । କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବଢ଼ାଇବାକୁ ଇଡି ବିରୋଧ କରିଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ବାରମ୍ବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତେବେ ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ତିହାର ଜେଲରେ ଥିଲେ । ଲୋକସଭା ନିର୍ବାଚନ ଚାଲିଥିବାରୁ କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ’ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।

Leave A Reply

Your email address will not be published.