ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିଏମ୍ କେଜ୍ରିଓ୍ଵାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଅଗଷ୍ଟ ୮ ଯାଏ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ପୁଣିଥରେ ଝଟ୍କା ମିଳିଛି । ସିଏମ୍ କେଜ୍ରିଓ୍ଵାଲଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସିବିଆଇ କୋର୍ଟରେ ହାଜର କରିଥିଲା । ଏହି ମାମଲାରେ ଶୁଣାଣି ହୋଇ ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିଓ୍ଵାଲଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।
ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ବି ତାଙ୍କୁ ଝଟ୍କା ମିଳିଛି । ଦିଲ୍ଲୀ କୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି ।
୨୦୨୧ ନଭେମ୍ବର ୧୭ରେ ଦିଲ୍ଲୀ ସରକାର ନୂତନ ମଦ ନୀତି ଲାଗୁ କରିଥିଲେ । ଏହି ନୀତି ଅଧୀନରେ ରାଜଧାନୀ ଦିଲ୍ଲୀରେ ମୋଟ ୩୨ଟି ଜୋନ୍ କରାଯାଇଥିଲା । ପ୍ରତ୍ୟେକ ଜୋନ୍ରେ ସର୍ବାଧିକ ୨୭ଟି ଦୋକାନ ଖୋଲାଯାଇ ପାରିଥିଲା । ନୀତି ପ୍ରଣୟନ ହେବା ପରେ ମଦ ଦୋକାନଗୁଡ଼ିକର ଟେଣ୍ଡର ଘରୋଇ କମ୍ପାନୀମାନଙ୍କୁ ଦିଆଯାଇଥିଲା । ଯଦିଓ ଏହାପୂର୍ବରୁ ଦିଲ୍ଲୀର ୬୦ ପ୍ରତିଶତ ମଦ ଦୋକାନ ସରକାରୀ ମାଲିକାନାରେ ଥିଲା ।
ନୂତନ ଅବକାରୀ ନୀତି ଲାଗୁ ହେବା ପରେ ୨୦୨୨ ଜୁନ୍ ୮ରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେ ଦିଲ୍ଲୀ ସରକାରଙ୍କ ରାଜସ୍ୱକୁ ବଡ଼ କ୍ଷତି ହୋଇଛି । ଏହାପରେ ଦିଲ୍ଲୀ ଏଲ୍ଜି ଭି.କେ. ସକ୍ସେନା ସିବିଆଇ ତଦନ୍ତ ଦାବି କରିଥିଲେ । ସିବିଆଇ ସେହିବର୍ଷ ଅଗଷ୍ଟ ୧୭ରେ ଏକ ମାମଲା ରୁଜୁ କରିଥିଲା । ପରେ ଏହି ମାମଲାରେ ଇଡି ମଧ୍ୟ ପ୍ରବେଶ କରିଥିଲା ।