କେଜରିଓ୍ଵାଲ୍ ଚମକ ଆଗରେ ଫିକା ପଡ଼ିଲା ମୋଦି କରିସ୍ମା, ବହୁମତ ହାସଲ ସହ ପୁଣି ଥରି ଦିଲ୍ଲୀ ଶାସନ ଗାଦି ହାତେଇଲା ଆମ୍ ଆଦମୀ ପାର୍ଟି
ନୂଆଦିଲ୍ଲୀ: ଅବ୍ କି ବାର୍ ଆପ୍ ସରକାର । ଦିଲ୍ଲୀରେ ଦମ୍ ଦେଖାଇଲା ଆପ୍ । କେଜରିଓ୍ଵାଲ୍ ଚମକ ଆଗରେ ଫିକା ପଡ଼ିଲା ମୋଦି କରିସ୍ମା । ବହୁମତ ହାସଲ ସହ ପୁଣି ଥରି ଦିଲ୍ଲୀ ଶାସନ ଗାଦି ହାତେଇଛି ଅରବିନ୍ଦ କେଜରିଓ୍ଵାଲଙ୍କ ଆମ୍ ଆଦମୀ ପାର୍ଟି । ବର୍ତ୍ତମାନ ସୁଦ୍ଧା ଗଣତିରେ ଆପ୍ ୬୧ ଆସନରେ ଆଗୁଆ ଥିବା ବେଳେ ବିଜେପି ୯ଟି ସିଟରେ ଆଗରେ ଚାଲିଛି । କଂଗ୍ରେସ ପୁଣି ଥରେ ଖାତା ଖୋଲି ପାରିନି । ଗତ ନିର୍ବାଚନ ଅପେକ୍ଷା ବିଜେପିକୁ ଏଥର ଅଧିକ ସିଟ୍ ମିଳିପାର୍ । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ପୁଣି ଥରେ ଉଭା ହୋଇଛି ଆପ୍ । ଦିଲ୍ଲୀ ବାସୀଙ୍କ ଭରସା ଜିତି ପାରିଛି । ଦିଲ୍ଲୀର ଅଧିକାଂଶ ବିଧାନସଭା ଆସନରେ ଆଗରେ ରହିଛନ୍ତି ଆପ୍ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଭାବରେ ତୃତୀୟ ଥର ହ୍ୟାଟ୍ରିକ କରିବେ ଅରବିନ୍ଦ କେଜରିଓ୍ଵାଲ୍ ।
ସେପଟେ ବିଜୟ ପରେ ଆପ୍ ଶିବିରରେ ଏବେ ଖୁସିର ମାହୋଲ । ଦିଲ୍ଲୀ ପାର୍ଟି ଅଫିସରେ ଦଳୀୟ ନେତା ଓ କର୍ମୀ ଉତ୍ସବ ମନାଉଛନ୍ତି । ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ମନାଉଛନ୍ତି କର୍ମୀ ଓ ସମର୍ଥକ । ସତ ହେଲା ଏକଜିଟ୍ ପୋଲ୍ । ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ଦିଲ୍ଲୀରେ ପୁଣି ଥରେ କେଜରିଓ୍ଵାଲ ସରକାର ହେବ ବୋଲି ଆକଳନ କରିଥିଲେ ।