ତିହାର ଜେଲ୍ରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ୧୫୬ ଦିନ ପରେ ସେ ଜେଲ୍ରୁ ମୁକୁଳିଛନ୍ତି । ଶୁକ୍ରବାର ସୁପ୍ରିମ୍କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । କେଜ୍ରିଓ୍ୱାଲ ତିହାର ଜେଲ୍ର ୩ ନମ୍ବର ବାରାକ୍ରୁ ବାହାରିଛନ୍ତି । ଜେଲ୍ ବାହାରେ ଆମ୍ ଆଦ୍ମୀ ପାର୍ଟିର ବହୁ ସଂଖ୍ୟକ ସମର୍ଥକ ରହିଥିବା ବେଳେ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ୱାଲ ମଧ୍ୟ ଉପସ୍ଥିତ ଅଛନ୍ତି ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ଵାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଉଜ୍ଜଳ ଭୁୟନଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି । ୧୦ ଲକ୍ଷ ଟଙ୍କା ଲେଖାଏ ୨ ମୁଚାଲିକାଙ୍କ ବଦଳରେ ଜାମିନ୍ ମିଳିଛି । CBI ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ ଅରବିନ୍ଦ କେଜ୍ରିୱାଲ । ଆଜି ତାଙ୍କୁ ବେଲ୍ ମିଳିଛି ।
ସୁପ୍ରିମକୋର୍ଟ କିଛି ସର୍ତ୍ତ ମଧ୍ୟ ଲାଗୁ କରିଛନ୍ତି । ଜେଲ୍ରୁ ମୁକୁଳିବା ପରେ କେଜ୍ରିୱାଲ କୌଣସି ଫାଇଲ୍ରେ ଦସ୍ତଖତ କରିପାରିବେ ନାହିଁ । ଏଥିସହ କେଜ୍ରିୱାଲଙ୍କ କାର୍ଯ୍ୟାଳୟ ଯିବା ଉପରେ ବି ରୋକ୍ ଲାଗିଛି । ଏହି ମାମଲାରେ ସେ କୌଣସି ବୟାନ ସାର୍ବଜନିକ ସ୍ଥାନରେ ଦେଇପାରିବେ ନାହିଁ ।
ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗତ ଜୁନ ୨୬ରେ ଗିରଫ କରିଥିଲା ସିବିଆଇ । ମାର୍ଚ୍ଚ ୨୧ରେ ପ୍ରଥମେ ଇଡି ତାଙ୍କୁ ଗିରଫ କରିଥିଲା ।