ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ, ଆତିଶୀ ହେବେ ନୂଆ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଏବେ ଆପର ଅନ୍ୟତମ ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଶୁକ୍ରବାର ଜେଲରୁ ବାହାରିଥିଲେ । ଏହାପରେ ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଆଜି ଉପ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ପୂର୍ବରୁ ଆପ୍‌ର ବିଧାୟକ ଦଳ ବୈଠକ ଦିନ ୧୧ଟାରେ ବସିଥିଲା । ଏହି ସମୟରେ କେଜ୍ରିୱାଲଙ୍କ ପରେ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ନାଁ ପ୍ରସ୍ତାବ ଦେଇଥିଲେ । ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା । କେଜ୍ରିୱାଲ ଉପ ରାଜ୍ୟପାଳଙ୍କ ଘରେ ପହଞ୍ଚି ନିଜର ଇସ୍ତଫାପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ ।

ସର୍ବସମ୍ମତି କ୍ରମେ ବିଧାୟକମାନେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । ଜେଲରୁ ଆସିବା ପରେ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଅରବିନ୍ଦ କେଜ୍ରିୱାଲ । ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ । ଏହାପୂର୍ବରୁ ଦିବଂଗତ ସୁଷମା ସ୍ୱରାଜ ଏବଂ ଶୀଲା ଦୀକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ।

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ଗତ ମାର୍ଚ୍ଚ ୨୧ ତାରିଖରେ ତାଙ୍କୁ ଗିରଫ କରିଥିଲା । ସିବିଆଇ ମାମଲାରେ ତାଙ୍କୁ ସେପ୍ଟେମ୍ବର ୧୩ ତାରିଖରେ ଜାମିନ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like