ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜ୍ରିଓ୍ୱାଲ । ୨ ଦିନ ପରେ ପଦ ଛାଡ଼ିବା ନେଇ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମ୍କୋର୍ଟରୁ ଜାମିନ୍ ପାଇବା ପରେ କେଜ୍ରିଓ୍ୱାଲ ରବିବାର ଆମ୍ ଆଦ୍ମୀ ପାର୍ଟି ମୁଖ୍ୟାଳୟ ଯାଇଥିଲେ । ସେଠାରେ ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପରେ ସିଏମ୍ ସେମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ କେଜ୍ରିଓ୍ୱାଲ ବଡ଼ ଘୋଷଣା କରି କହିଥିଲେ ଯେ ‘ମୁଁ ୨ ଦିନ ପରେ ସିଏମ୍ ପଦରୁ ଇସ୍ତଫା ଦେବି’ ।
କେଜ୍ରିଓ୍ୱାଲ କହିଛନ୍ତି, ‘ଆଜିଠାରୁ ଦୁଇ ଦିନ ପରେ ମୁଁ ଇସ୍ତଫା ଦେବାକୁ ଯାଉଛି । କେଜ୍ରିଓ୍ୱାଲ ସଚ୍ଚୋଟ ବୋଲି ଯେପର୍ଯ୍ୟନ୍ତ ଜନତା ନିଜର ନିଷ୍ପତ୍ତି ଶୁଣାଇ ନାହାନ୍ତି, ସେପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବି ନାହିଁ’।
କେଜ୍ରିୱାଲ କହିଛନ୍ତି, କିଛି ଲୋକ କହୁଛନ୍ତି ଯେ ସୁପ୍ରିମକୋର୍ଟ କିଛି ସର୍ତ୍ତ ରଖିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ସେମାନେ ସର୍ତ୍ତ ଲଗାଇବାରେ କୌଣସି ସୁଯୋଗ ଛାଡି ନ ଥିଲେ । କେନ୍ଦ୍ର ସରକାର ଆଇନ ପ୍ରସ୍ତୁତ କରି ମୋ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଯଦି ଆପଣ ଭାବୁଛନ୍ତି, କେଜ୍ରିୱାଲ ସଚ୍ଚୋଟ, ତେବେ ମୋ ସପକ୍ଷରେ ବିପୁଳ ଭୋଟ ଦେବେ । ଫେବୃୟାରୀରେ ନିର୍ବାଚନ । ନିର୍ବାଚନ ତୁରନ୍ତ କରାଯିବାକୁ ମୋର ଦାବି । ନଭେମ୍ବରରେ ମହାରାଷ୍ଟ୍ର ସହିତ ନିର୍ବାଚନ କରାଯାଉ । ନୂତନ ସିଏମ୍ ନିର୍ବାଚନ ଆସନ୍ତା ୧-୨ ଦିନ ମଧ୍ୟରେ କରାଯାଉ ।
ସିଏମ କେଜ୍ରିୱାଲ ଆହୁରି କହିଛନ୍ତି ଯେ ମନୀଷ ସିସୋଦିଆ ମଧ୍ୟ କହିଛନ୍ତି ସେ ବି ଡେପୁଟି ସିଏମ୍ ଏବଂ ଶିକ୍ଷାମନ୍ତ୍ରୀ ପଦ ସେବେ ସମ୍ଭାଳିବେ, ଯେବେ ଜନତାଙ୍କ କୋର୍ଟରୁ ଚୟନ ହୋଇ ଆସିବେ । ଏହି ସମୟରେ ଅରବିନ୍ଦ କେଜ୍ରିୱାଲ କହିଥିଲେ, ସତୈନ୍ଦ୍ର ଜୈନ ଓ ଅମାନତୁଲ୍ଲା ଖାନ ମଧ୍ୟ ଖୁବ ଶୀଘ୍ର ବାହାରକୁ ଆସିବେ ।