‘ସିଏମ୍‌ କେଜ୍ରିଓ୍ଵାଲ ଷଡ଼ଯନ୍ତ୍ରକାରୀ’, ଦିଲ୍ଲୀ ମଦ ଦୁର୍ନୀତିରେ ED ଦାଖଲ କଲା ୨୩୨ ପୃଷ୍ଠାର ଚାର୍ଜସିଟ୍‌

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩୮ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଅରବିନ୍ଦ କେଜ୍ରିୱାଲଙ୍କୁ ୩୭ ନମ୍ବର ଅଭିଯୁକ୍ତ କରାଯାଇଥିବା ବେଳେ ତାଙ୍କ ଦଳ ଆମ୍ ଆଦମୀ ପାର୍ଟି (ଏଏପି)କୁ ୩୮ ନମ୍ବର ଅଭିଯୁକ୍ତ କରାଯାଇଛି । ୨୩୨ ପୃଷ୍ଠାର ଚାର୍ଜସିଟରେ ଇଡି ସିଏମ୍ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ।

ଚାର୍ଜସିଟ୍‌ ମୁତାବକ, ଅରବିନ୍ଦ କେଜ୍ରିଓ୍ଵାଲ ହେଉଛନ୍ତି ମାଷ୍ଟରମାଇଣ୍ଡ୍‌ ଏବଂ ଷଡ଼ଯନ୍ତ୍ରକାରୀ । ସେ ଗୋଆ ନିର୍ବାଚନରେ ଲାଞ୍ଚ ଟଙ୍କା ବ୍ୟବହାର ବିଷୟରେ ଜାଣିଥିଲେ ଏବଂ ଏଥିରେ ମଧ୍ୟ ଜଡିତ ଥିଲେ । ଚାର୍ଜସିଟରେ କେଜ୍ରିୱାଲ ଏବଂ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହ୍ଵାଟସ୍‌ଆପ୍‌ ଚାଟ୍ ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି ।

ଏହା ମଧ୍ୟ କୁହାଯାଇଛି ଯେ ମଦ ବ୍ୟବସାୟୀଙ୍କ ସହ ମିଶି ସେମାନଙ୍କ ସପକ୍ଷରେ ନୀତି ପ୍ରସ୍ତୁତ କରି ଦଳର ନେତାମାନଙ୍କୁ ଲାଭବାନ୍‌ କରିବାକୁ ଯୋଜନା ହୋଇଥିଲା । ନୂଆ ଅବକାରୀ ନୀତି କରିବା ପଛରେ ସିଏମ୍ କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ଆମ୍ ଆଦମୀ ପାର୍ଟିର ଅନ୍ୟ ନେତାଙ୍କ ଉଦ୍ଦେଶ୍ୟ ରହିଥିଲା କି, ଲାଞ୍ଚ ବଦଳରେ ଦକ୍ଷିଣ ଲବିକୁ ଲାଭବାନ୍‌ କରିବା ।

ଆହୁରି ମଧ୍ୟ, ବିନୋଦଙ୍କ ଜରିଆରେ କେ. କବିତାଙ୍କ ପିଏ ୨୫.୫ କୋଟି ଟଙ୍କା ଗୋଆ ନିର୍ବାଚନ ମାଧ୍ୟମରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ଦେଇଥିଲେ । ହ୍ଵାଟସ୍‌ଆପ୍‌ ଚାଟ୍‌ରୁ ସ୍ପଷ୍ଟ ହୋଇଛି ଯେ ବିନୋଦ ଚୌହାନଙ୍କର ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହିତ ଭଲ ସମ୍ପର୍କ ଥିଲା । ଅପରାଧର ଆୟ ବିଷୟରେ କେଜ୍ରିଓ୍ଵାଲ ସମ୍ପୂର୍ଣ୍ଣ ଭାବରେ ଜାଣିଥିଲେ । ଏହି ଟଙ୍କା ଗୋଆ ନିର୍ବାଚନରେ ବ୍ୟବହାର କରାଯାଇଥିଲା, ଯାହାର ପୂରା ଦାୟିତ୍ୱ ଅରବିନ୍ଦ କେଜ୍ରିଓ୍ଵାଲ ନେଇଥିଲେ ।

ମଦ ନୀତିରେ ବିଜୟ ନାୟାରଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଅରବିନ୍ଦ କେଜ୍ରିୱାଲଙ୍କର ଅତି ଘନିଷ୍ଠ ଏବଂ ତାଙ୍କରି ଇସାରାରେ ହିଁ କାର୍ଯ୍ୟ କରୁଥିଲେ । ବିଜୟ ନାୟାର କହିଥିଲେ ଯେ ଅବକାରୀ ନୀତି ପଛରେ ଅରବିନ୍ଦ କେଜ୍ରିୱାଲ ସମ୍ପୂର୍ଣ୍ଣ ମୁଣ୍ଡ ଖଟାଇଛନ୍ତି ।

You might also like