କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ନିଜର ନିଷ୍ପତ୍ତି ଶୁଣାଇ ନାହାନ୍ତି । ଏହି ଆବେଦନ ଉପରେ ଜୁନ୍ ୫ରେ କୋର୍ଟ ରାୟ ପ୍ରଦାନ କରିବେ । ଏହି ଦୃଷ୍ଟିରୁ ଜୁନ୍ ୨ରେ ହିଁ କେଜ୍ରିୱାଲଙ୍କୁ ତିହାର ଜେଲ ଫେରିବାକୁ ପଡ଼ିବ ।

କହି ରଖୁଛୁ ଯେ କୋର୍ଟ ଗତ ମେ’ ୧୦ରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିଥିଲେ । ତାଙ୍କ ଜାମିନ ଜୁନ୍‌ ୨ରେ ଶେଷ ହେଉଥିବା ବେଳେ ରବିବାର ତାଙ୍କୁ ପୁଣି ତିହାର ଜେଲ୍‌ ଫେରିବାକୁ ପଡ଼ିବ । ତେବେ ଏହାପୂର୍ବରୁ କେଜ୍ରିୱାଲ ତାଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ ମେଡିକାଲ ଟେଷ୍ଟକୁ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆହୁରି ୭ ଦିନ ବଢ଼ାଇବାକୁ ଅନୁରୋଧ କରିଥିଲେ । ଏହି ଆବେଦନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା । କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବଢ଼ାଇବାକୁ ଇଡି ବିରୋଧ କରିଥିଲା ।

ଉଭୟ ପକ୍ଷର ଲମ୍ବା ଯୁକ୍ତି ଶୁଣିବା ପରେ ରାଉସ୍ ଆଭେନ୍ୟୁ ସ୍ୱତନ୍ତ୍ର କୋର୍ଟର ଜଜ୍ କାଭେରୀ ବାୱେଜା କହିଥିଲେ ଯେ ଶୁଣାଣି ଶେଷ ହୋଇଛି । ବର୍ତ୍ତମାନ କୋର୍ଟ ଜୁନ୍ ୫ରେ ମଧ୍ୟବର୍ତ୍ତୀକାଳୀ ଜାମିନ ଉପରେ ରାୟ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ତିହାର ଜେଲରେ ଥିଲେ । ଲୋକସଭା ନିର୍ବାଚନ ଚାଲିଥିବାରୁ କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ’ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କ ବ୍ୟତୀତ ଯାଞ୍ଚ ଏଜେନ୍ସି ମନୀଷ ସିସୋଦିଆଙ୍କୁ ମଧ୍ୟ ଗିରଫ କରିଛି । ଏବେ ସେ ଜେଲରେ ଅଛନ୍ତି । ଏହି ମାମଲାରେ ପୂର୍ବରୁ ଆପ୍‌ର ରାଜ୍ୟସଭା ସାଂସଦ ସଂଜୟ ସିଂ ବି ଗିରଫ ହୋଇଥିଲେ । ସୁପ୍ରିମକୋର୍ଟଙ୍କଠାରୁ ତାଙ୍କୁ ଜାମିନ ମିଳିସାରିଛି ।

You might also like