ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନୂଆ ଘର ଫାଇନାଲ ହୋଇଛି । ପାର୍ଟି ସୂତ୍ର ମୁତାବକ, କେଜ୍ରିଓ୍ୱାଲ ଦିନେ ଦୁଇଦିନ ମଧ୍ୟରେ ସିଏମ୍ ବାସଭବନ ଖାଲି କରିବେ । ସେ ନୂଆଦିଲ୍ଲୀରେ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଏକ ଘର ଚୟନ କରିଛନ୍ତି । ବହୁତ ଜଲ୍ଦି ସେଠାକୁ ସେ ସିଫ୍ଟ ହେବେ ।
ଅରବିନ୍ଦ କେଜ୍ରିଓ୍ୱାଲ ସେପ୍ଟେମ୍ବର ୧୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସିଭିଲ୍ ଲାଇନ୍ସରେ ଫ୍ଲାଗ୍ଷ୍ଟାଫ୍ ରୋଡ୍ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ସେ ଦିନେ ଦୁଇଦିନ ମଧ୍ୟରେ ଛାଡ଼ିଦେବେ । ପୂର୍ବରୁ କେଜ୍ରିଓ୍ୱାଲ କହିଥିଲେ ଯେ ପିତୃପକ୍ଷ ଶେଷ ଏବଂ ନବରାତ୍ରି ଆରମ୍ଭ ହେବା ପରେ ସେ ଦିଲ୍ଲୀ ସିଏମ୍ ବାସଭବନ ଛାଡ଼ିବେ ।
ଜନ୍ତର-ମନ୍ତରରେ ଏକ ଜନସଭାକୁ ସମ୍ବୋଧିତ କରି କେଜ୍ରିଓ୍ୱାଲ କହିଥିଲେ କି, ଏକ ଦଶନ୍ଧିରୁ ଅଧିକ ସମୟ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବା ସତ୍ତ୍ୱେ ସେ ଏ ପର୍ଯ୍ୟନ୍ତ ସହରରେ ନିଜର ଘର କିଣିନାହାନ୍ତି ।
କହି ରଖୁଛୁ, ୨୦୧୩ ଡିସେମ୍ବରରେ ପ୍ରଥମ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ଏହା ପୂର୍ବରୁ କେଜ୍ରିଓ୍ୱାଲ ଗାଜିଆବାଦର କୌଶାମ୍ବି ଅଞ୍ଚଳରେ ରହୁଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ସେ ମଧ୍ୟଦିଲ୍ଲୀର ତିଲକ ଲେନ୍ସ୍ଥିତ ଘରେ ରହିଲେ । ୨୦୧୫ ଫେବୃୟାରୀରେ ବିଧାନସଭା ନିର୍ବାଚନରେ ପାର୍ଟି କ୍ଷମତାକୁ ଆସିବା ପରେ କେଜ୍ରିଓ୍ୱାଲ ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ସସ୍ଥିତ ସରକାରୀ ବାସଭବନକୁ ସିଫ୍ଟ ହୋଇଥିଲେ ।