ଆଶାରାମ ବାପୁଙ୍କୁ ସାତ ଦିନର ଜରୁରୀକାଳୀନ ପାରୋଲ, ପୋଲିସ ହେପାଜତରେ ହେବ ଚିକିତ୍ସା

ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟ ସାତ ଦିନ ପାଇଁ ଜରୁରୀକାଳୀନ ପାରୋଲ ପ୍ରଦାନ କରିଛନ୍ତି । ପୋଲିସ ହେପାଜତରେ ହେବ ଆଶାରାମଙ୍କ ହୃଦ୍‌ରୋଗର ଚିକିତ୍ସା । କୋର୍ଟ ଆହୁରି କହିଛନ୍ତି ଯେ ପାରୋଲର ସମ୍ପୂର୍ଣ୍ଣ ଖର୍ଚ୍ଚ ଆଶାରାମଙ୍କୁ ହିଁ ବହନ କରିବାକୁ ପଡ଼ିବ । ମହାରାଷ୍ଟ୍ରର ଏକ ଆୟୁର୍ବେଦିକ ହସ୍ପିଟାଲରେ ସେ ଚିକିତ୍ସିତ ହେବେ ।

ହାଇକୋର୍ଟଙ୍କ ଜଷ୍ଟିସ ପୁଷ୍ପେନ୍ଦ୍ର ସିଂ ଭାଟି ଓ ଜଷ୍ଟିସ ମୁନରୀ ଲକ୍ଷ୍ମଣଙ୍କ ଖଣ୍ଡପୀଠ ଆଶାରାମଙ୍କୁ ସାତ ଦିନର ଜରୁରୀକାଳୀନ ପାରୋଲ ପ୍ରଦାନ କରିଛନ୍ତି । କୋର୍ଟ ତାଙ୍କୁ ଦୁଇଜଣ ସହଯୋଗୀ ଏବଂ ଜଣେ ଚିକିତ୍ସକଙ୍କୁ ସାଙ୍ଗରେ ନେଇଯିବାକୁ ମଧ୍ୟ ଅନୁମତି ଦେଇଛନ୍ତି ।

କୋର୍ଟରେ ଆଶାରାମଙ୍କ ତରଫରୁ ହାଜର ଆଇନଜୀବୀ କହିଥିଲେ ଯେ ଆଶାରାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଛି । ଯୋଧପୁରର ଏକ ଘରୋଇ ଆୟୁର୍ବେଦ ଡାକ୍ତରଖାନାରେ ଚିକିତ୍ସା ସତ୍ତ୍ୱେ ଅଧିକ ଲାଭ ମିଳିପାରି ନାହିଁ । ଗତ ପାଞ୍ଚ ଦିନ ପୂର୍ବରୁ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ଯୋଧପୁରର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଶାରାମଙ୍କ ବୟସ ଏବଂ ସ୍ୱାସ୍ଥ୍ୟ ଦେଖିଲେ ମହାରାଷ୍ଟ୍ରର ମାଧବବାଗରେ ହିଁ ସର୍ବୋତ୍ତମ ଚିକିତ୍ସା ସୁବିଧା ରହିଛି । ଏହି ଆୟୁର୍ବେଦିକ ହସ୍ପିଟାଲରେ ଉନ୍ନତ ଚିକିତ୍ସା ସୁବିଧା ବିଷୟରେ ସେ ଉଲ୍ଲେଖ କରିଥିଲେ ।

ସମସ୍ତ ଦିଗ ଉପରେ ବିଚାର କରି କୋର୍ଟ ଆଶାରାମଙ୍କୁ ସାତ ଦିନ ପାଇଁ ଜରୁରୀକାଳୀନ ପାରୋଲକୁ ଅନୁମୋଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.