ନୂଆଦିଲ୍ଲୀ : ଆମ ଭାରତୀୟ ସମାଜରେ ବିବାହ ପରି ଏକ ପବିତ୍ର ସମ୍ପର୍କକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷରୁ ବେଶ ଖୁସି ରହିଥାନ୍ତି । ତେବେ ଅନେକ କ୍ଷେତ୍ରରେ ଏହି ସାମାଜିକ ଉତ୍ସବ ପୂର୍ବରୁ ଓ ପରେ ନାନା ପ୍ରକାରର ଅଘଟଣ, ଠକାମି ଦେଖିବାକୁ ମିଳିଥାଏ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଆସାମରେ। ଠକେଇ ଅଭିଯୋଗରେ ଆସାମର ଜଣେ ମହିଳା ପୋଲିସ ଅଧିକାରୀ ନିଜ ଭାବୀ ସ୍ବାମୀଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ନଅଗାଁ ଥାନାରେ ଜୁନମୋନି ରାଭା ସବ୍ଇନ୍ସପେକ୍ଟର ଅଛନ୍ତି। ଯୁବକ ଜଣଙ୍କ ନିଜର ନକଲି ପରିଚୟ ଦେଇ ତାଙ୍କ ସହ ବିବାହ ସ୍ଥିର କରିଥିଲେ ଏବଂ ରାନା ପୋଗାଗ୍ଙ୍କ ସହ ଗତ ଅକ୍ଟୋବରରେ ତାଙ୍କର ନିର୍ବନ୍ଧ ସରିଥିଲା। ଆସନ୍ତା ନଭେମ୍ବରରେ ଉଭୟଙ୍କ ବାହାଘର ହେବାର ଥିଲା। ରାନା ପୋଗାଗ୍ ନିଜକୁ ଓଏନ୍ଜିସିର ଲୋକସମ୍ପର୍କ ଅଧିକାରୀ ପରିଚୟ ଦେଇ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ଆସିଥିଲା।
ତେବେ ମହିଳାଙ୍କର ସନ୍ଦେହ ହେବାରୁ ସେ ଯୁବକଙ୍କ ବିଷୟରେ ଅଧିକ ଖୋଳତାଡ଼ କରିଥିଲେ । ମାମଲାର ଯାଞ୍ଚ ପରେ ସେ ଜଣେ ଠକ ବୋଲି ଜଣାପଡ଼ିଥିଲା। ଯୁବକଙ୍କ ନାମରେ ୨୫ ଲକ୍ଷର ଠକାମି କେସ୍ ରହିବା ସହ ସେ ଓଏନଜିସିର କର୍ମଚାରୀ ନୁହନ୍ତି ବୋଲି ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ। ଏଥି ସହିତ ପୋଲିସ ତାଙ୍କଠାରୁ ଓଏନ୍ଜିସିର ଜାଲ୍ ସିଲ୍ ସହ ମିଥ୍ୟା ପରିଚୟ ପତ୍ର ଓ ଅନ୍ୟ ଦସ୍ତାବିଜ୍ ଜବତ କରିଥିବା ବେଳେ ମହିଳା ଏସଆଇ ତାଙ୍କର ମଙ୍ଗେତରଙ୍କୁ ଗିରଫ କରିଥିଲେ ।