ଆସାମରେ ବନ୍ୟାସ୍ଥିତି ସାଂଘାତିକ: ୩୨ ଜିଲ୍ଲାରେ ୩୧ ଲକ୍ଷ ଲୋକ ପ୍ରଭାବିତ; ୨୫ ମୃତ, ୮ ନିଖୋଜ

ନୂଆଦିଲ୍ଲୀ : ଆସାମରେ ବନ୍ୟା ପରିସ୍ଥିତି ଶନିବାର ଦିନ ଏକ ଭୟାନକ ସ୍ତରରେ ପହଞ୍ଚିଛି। ବନ୍ୟାରେ ଚାରି ଜଣ ପିଲାଙ୍କ ସମେତ ଆଉ ଆଠ ଜଣଙ୍କ ଜୀବନ ଯାଇଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୫ କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଅନ୍ୟ ୮ ଜଣ ନିଖୋଜ ଅଛନ୍ତି। ହୋଜାଇ ଜିଲ୍ଲାରୁ ୪ ଜଣ ନିଖୋଜ ଥିବାବେଳେ ଅନ୍ୟ ଚାରିଜଣ ବାଜଲି, କାର୍ବି ଆଙ୍ଗଲଙ୍ଗ ପଶ୍ଚିମ, କୋକରାଜ ଏବଂ ତମୁଲପୁର ଜିଲ୍ଲାରୁ ନିଖୋଜ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟର ଏବେ ବନ୍ୟା ଯୋଗୁଁ ୩୨ ଜିଲ୍ଲାର ୪୨୯୧ଟି ଗାଁରେ ଜଳାର୍ଣ୍ଣବ ଦେଖାଯାଇଛି । ଏଥିରେ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ନଦୀଗୁଡ଼ିକ ଫୁଲି ଉଠୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି । ୧୫ ନମ୍ବର ଜାତୀୟ ରାଜପଥ ପାଣିରେ ବୁଡ଼ିଯିବାରୁ ଶହ ଶହ ଟ୍ରକ ରାସ୍ତାରେ ଛିଡ଼ା ହୋଇଛି । ୬୬,୪୫୫.୮୨ ହେକ୍ଟର ଫସଲ ଜଳମଗ୍ନ ହୋଇଛି ।

ବାରପେଟାର ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଏଠାରେ ଥିବା ଗ୍ରାମବାସୀ ସେମାନଙ୍କ ଘରେ ବହୁ ମୂଲ୍ୟବାନ ସାମଗ୍ରୀ ଥିବା କହି ନିଜ ଘର ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ଆମେ କୌଣସି ପ୍ରକାରେ ସେମାନଙ୍କୁ ଘର ଖାଲି କରିବାକୁ ମନାଇବାରେ ସଫଳ ହୋଇଛୁ ଏବଂ ବର୍ତ୍ତମାନ ଆମେ ବ୍ୟବସ୍ଥା କରୁଛୁ ସେମାନଙ୍କୁ ରିଲିଫ୍ କ୍ୟାମ୍ପକୁ ନେବାକୁ | ଅଧିକାରୀ କହିଛନ୍ତି ଯେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷର ବ୍ୟବସ୍ଥା ହୋଇସାରିଛି। ନିକଟ ଭୁଟାନରେ ଜଳ ସ୍ତର ବଢୁଛି , ତେଣୁ ଆମ ଜିଲ୍ଲା ମଧ୍ୟ ପ୍ରଭାବିତ ହେଉଛି ଏବଂ ଆଗାମୀ ଦିନରେ ଅବସ୍ଥା ଆହୁରି ଖରାପ ହୋଇପାରେ।ତେବେ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଉଛି । ଲୋକଙ୍କୁ ଅସ୍ଥାୟୀ ଶିବିରରେ ସୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି । ସେହିପରି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସରକାର ଅବଗତ ଅଛନ୍ତି ।

ଏଥିରେ ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ଆସାମ ପୋଲିସର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ସମେତ ପାରା-ସାମରିକ ବାହିନୀ ୨୪ ×୭ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛି। ଏହି ବନ୍ୟାରେ ଅନେକ ବନ୍ଧ ଭାଙ୍ଗିବା ବ୍ୟତୀତ ଶହ ଶହ ଘର ଉପରେ ଖରାପ ପ୍ରଭାବ ପଡିଛି ଏବଂ ଅନେକ ରାସ୍ତା, ବ୍ରିଜ୍ ଏବଂ କେନାଲ ନଷ୍ଟ ହୋଇଯାଇଛି। ବ୍ରହ୍ମପୁତ୍ର, ବେକି, ମାନସ, ପାଗାଲାଡିଆ, ପୁଥିମାରି, କୋପିଲି ଏବଂ ଜିଆ-ଭରଲୀ ନଦୀ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଅନ୍ୟପକ୍ଷରେ ମେଘାଳୟ ମଧ୍ୟ ବନ୍ୟା ଯୋଗୁଁ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇଛନ୍ତି । ସେହିପରି ତ୍ରିପୁରାର ଅଗରତାଲାରେ ଲଗାଣ ବର୍ଷା ଲାଗି ରହିଛି । ମେଘାଳୟରେ ବର୍ଷା ଓ ବନ୍ୟା ଫଳରେ ୧୯ ଜଣଙ୍କ ଜୀବନ ଯାଇଛି । ତ୍ରିୁରାରେ ୬ ଘଣ୍ଟା ମଧ୍ୟରେ ୧୪୫ ମିଲିମିଟର ବର୍ଷାରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ପ୍ରଭାବିତ ହୋଇଛି । ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସାଙ୍ଗମା ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପାଇଁ ୫୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

Leave A Reply

Your email address will not be published.