ଏକଜିଟ୍ ପୋଲ୍ ଦେଲା ଏକଜାଟ୍ ରେଜଲ୍ଟ ! ଆସିଲା ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ, ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର

ଆସିଲା ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ । ବିଜେପିକୁ ଲାଗିଛି ଜୋରଦାର ଝଟ୍କା । ଖସୁଛି ପଦ୍ମ ପାଖୁଡ଼ା । କମୁଛି ବିଜେପିର ଦବଦବା । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବିଜେପିର ବଢ଼ାଇଛି ଟେନସନ । ହିନ୍ଦୀ ହାର୍ଟଲ୍ୟାଣ୍ଡ ଷ୍ଟେଟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବିଜେପିକୁ ନିରାଶ ହେବାକୁ ପଡ଼ିଛି । ଏହି ୩ ରାଜ୍ୟରେ ଆଗାମୀ ୧୯ ନିର୍ବାଚନରେ ବିଜେପି ହାତରୁ ବହୁ ଆସନ ଖସିବାର ସମ୍ଭାବନା ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ମୋଟ ଲୋକସଭା ଆସନ ସଂଖ୍ୟା ୬୫ । ମଧ୍ୟପ୍ରଦେଶ-୨୯, ରାଜସ୍ଥାନ-୨୫ ଓ ଛତିଶଗଡ଼-୧୧ଟି ଲୋକସଭା ଆସନ ରହିଛି । ଗତ ସାଧାରଣ ନିର୍ବାଚନରେ ରାଜସ୍ଥାନର ମୋଟ୍ ୨୫ଟି ଯାକ ଲୋକସଭା ଆସନକୁ ପୋଛି ନେଇଥିଲା ବିଜେପି । ମଧ୍ୟପ୍ରଦେଶର ୨୭ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା ବିଜେପି । ସେହିପରି ଛତିଶଗଡ଼ର ୧୧ ଲୋକସଭା ଆସନରୁ ୧୦ଟିରେ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ । ଏହି ୩ ରାଜ୍ୟରେ ମୋଟ ୬୫ ସିଟ୍ରୁ ୬୨ଟି ଆସନରେ ପଦ୍ମ ଫୁଟିଥିଲା । ଆଗାମୀ ୧୯ ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ବ୍ୟାପକ କ୍ଷତି ସହିବାକୁ ପଡ଼ିପାରେ ।
ଛତିଶଗଡ଼ରେ ସ୍ୱିପ୍ କଲା କଂଗ୍ରେସ :
୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ବିଜେପି ହାତରୁ ଖସି ଯାଇଛି ଶାସନ କ୍ଷମତା । କଂଗ୍ରେସ ୬୨ ଆସନରେ ଆଗୁଆ ଚାଲିଥିବା ବେଳେ ବିଜେପିକୁ ୧୮ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ଜିତିଛନ୍ତି । ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରମଣ ସିଂହ । ୧୫ ବର୍ଷ ହେବ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ ।
ମଧ୍ୟପ୍ରଦେଶରେ ସତ ହେଲା ଏକଜିଟ୍ ପୋଲ୍ :
୧୯ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନର ଆଭାସ । ମଧ୍ୟପ୍ରଦେଶରେ ବିଜେପି ସରକାରକୁ ଲାଗିଛି ହାତର ଝଟ୍କା । ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆରମ୍ଭରୁ ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଥିଲା ଟି-ଟେ୍ଵଣ୍ଟି ଫାଇଟ୍ । କେତେବେଳେ ଆଗକୁ ବଢୁଥିଲା ବିଜେପି । ପୁଣି କେତେବେଳେ କଂଗ୍ରେସର ଟ୍ରେଣ୍ଡ ପଦ୍ମ ଦଳର ଟେନସନ୍ ବଢ଼ାଉଥିଲା । ଦିନ ସାରା ଏମିତି ଲାଗି ରହିଥିଲା ଛକା ପଞ୍ଝା । ବହୁମତଠାରୁ ଆଗରେ ଚାଲିଥିଲା କଂଗ୍ରେସର ଟ୍ରେଣ୍ଡ ।
ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗଣତି ଚାଲିଥିବା ବେଳେ ଆଗୁଆ ଟ୍ରେଣ୍ଡକୁ ନେଇ ଉତ୍ସାହିତ ହୋଇ ପଡ଼ିଥିଲେ କଂଗ୍ରେସ ନେତା ଓ କର୍ମୀ । ବାଜା ବଜାଇ, ବାଣ ଫୁଟାଇ ଉତ୍ସବ ବି ମନାଉଥିଲେ । କେଉଁଠି କେଉଁଠି ସୃଷ୍ଟି ହୋଇଥିଲା ଅଦିନିଆ ଦୀପାବଳିର ମାହୋଲ । ୧୫ ବର୍ଷ ପରେ ମଧ୍ୟପ୍ରଦେଶରେ ଭଲ ପ୍ରଦର୍ଶନ କରିଛି କଂଗ୍ରେସ । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରଣନୀତି ସହ ବିଜେପିକୁ ଚେକ୍ମେଟ୍ ଦେଇ ପାରିଛି । ମତଦାନ ପରେ ମଧ୍ୟପ୍ରଦେଶରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ବିଭିନ୍ନ ଏକଜିଟ୍ ପୋଲ୍ ଦର୍ଶାଇଥିଲେ । ଏକଜାଟ୍ ପୋଲ୍ରେ ବି ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ତେବେ କିଏ ଗଢ଼ିବ ମଧ୍ୟପ୍ରଦେଶରେ ସରକାର ? ପୁଣି ଥରେ କ୍ଷମତା ଦଖଲ କରିବାରେ ବିଜେପି ସକ୍ଷମ ହେବ ନା କଂଗ୍ରେସ ହାତକୁ ଚାଲିଯିବ ଶାସନ ଗାଦି ?
ରାଜସ୍ଥାନ :
ରାଜସ୍ଥାନରେ ବି କଂଗ୍ରେସ ଫେରିଛି ଶାସନକୁ । ୫ ବର୍ଷରେ ବସୁନ୍ଧରା ରାଜେ ସରକାରଙ୍କ ଉପରୁ ମୁହଁ ଫେରାଇ ନେଇଛନ୍ତି ରାଜସ୍ଥାନ ବାସିନ୍ଦା । ୧୯୯ ଆସନରୁ ଏକାକୀ କଂଗ୍ରେସ ୧୦୨ ଆସନରେ ନିଜ ନାଁରେ କରିଛି । ବିଜେପି ୭୨ ଓ ଅନ୍ୟାନ୍ୟ ଦଳଙ୍କ ଖାତାରେ ପଡ଼ିଛି ୨୫ ଆସନ । ଆସନ୍ତାକାଲି ରାଜସ୍ଥାନରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ । ସରକାର ଗଠନ ନେଇ ଆଲୋଚନା ପରେ ବିଧାୟକ ଦଳ ନେତା ବଛାଯିବ ।
ତେଲେଙ୍ଗାନାରେ କିଙ୍ଗ ହେଲେ କେସିଆର :
ତେଲେଙ୍ଗାନାରେ କ୍ଷମତା ବଜାୟ ରଖିଲା ଟିଆର୍ଏସ୍ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ କେ. ଚନ୍ଦ୍ରଶେଖର ରାଓ । ୧୧୯ ଆସନରୁ ଟିଆର୍ଏସ୍ ଏକାକୀ ୮୬ ଆସନରେ ବାଜି ମାରିଥିବା ବେଳେ କଂଗ୍ରେସ ମେଣ୍ଟ ୨୦, ବିଜେପି ୨ ଓ ଅନ୍ୟାନ୍ୟ ଦଳ ୧୧ଟିରେ ବିଜୟୀ ହୋଇଛନ୍ତି ।
ମିଜୋରାମ୍ ଏମ୍ଏନ୍ଏଫକୁ ବହୁମତ :
ମିଜୋରାମରେ ବଡ଼ ବିପର୍ୟ୍ୟୟର ସାମନା କରିଛି କଂଗ୍ରେସ । ୫ ଥର ମୁଖ୍ୟମନ୍ତ୍ରୀ ଲାଲ୍ ଥାନହାଓ୍ଵଲା ହାରି ଯାଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ୪୦ ଆସନରୁ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ ବା ଏମ୍ଏନ୍ଏଫ୍ ଏକାକୀ ୨୬ଟିରେ ବିଜୟୀ ହୋଇ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇଛି । କଂଗ୍ରେସ ୫ଟି, ବିଜେପି ଗୋଟିଏ ଓ ଅନ୍ୟାନ୍ୟ ୮ଟି ଆସନ ଜିତିଛନ୍ତି ।
କୁହାଯାଉଛି, ୨୦୧୯ ସାଧାରଣ ନିର୍ବାଚନରେ ଆଂଚଳିକ ଦଳର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ।
ଏବେ ନଜର ପକାଇବା କେଉଁ ରାଜ୍ୟରେ କେଉଁ ଦଳକୁ କେତେ ପ୍ରତିଶତ ଭୋଟ୍ ମିଳିଛି :
ଛତିଶଗଡ଼ରେ ବିଜେପି ପାଇଛି ୩୨ ଦଶମିକ ୯ ପ୍ରତିଶତ, କଂଗ୍ରେସ ୪୩ ଦଶମିକ ୨ ପ୍ରତିଶତ, ଅଜିତ ଯୋଗୀଙ୍କ ଜେସିସି ୭.୪ ପ୍ରତିଶତ ଏବଂ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ୬.୦୩ ପ୍ରତିଶତ ଭୋଟ ପାଇଛନ୍ତି ।
ରାଜସ୍ଥାନରେ ବିଜେପିର ଭୋଟ ହାର ରହିଛି ୩୮.୦୮ ପ୍ରତିଶତ, କଂଗ୍ରେସର ଭୋଟ ହାର ରହିଛି ୩୯.୦୨ ପ୍ରତିଶତ , ବିଏସ୍ପିର ୪ ପ୍ରତିଶତ ଭୋଟ ରହିଛି, ସ୍ୱାଧୀନ ପ୍ରାର୍ଥୀମାନେ ପାଇଛନ୍ତି ୯.୦୪ ପ୍ରତିଶତ ଭୋଟ୍।
ମଧ୍ୟପ୍ରଦେଶରେ ବିଜେପିର ଭୋଟ ହାର ରହିଛି ୪୧.୦୩ ପ୍ରତିଶତ, କଂଗ୍ରେସର ଭୋଟ ହାର ରହିଛି ୪୧.୦୪ ପ୍ରତିଶତ , ବିଏସ୍ପିର ୪.୬ ପ୍ରତିଶତ ଭୋଟ ରହିଛି, ସ୍ୱାଧୀନ ପ୍ରାର୍ଥୀମାନେ ପାଇଛନ୍ତି ୫.୦୯ ପ୍ରତିଶତ ଭୋଟ୍ ।
ତେଲେଙ୍ଗାନାରେ ଟିଆରଏସ୍ ୪୭ ପ୍ରତିଶତ, କଂଗ୍ରେସ ୨୮.୭ ପ୍ରତିଶତ, ବିଜେପି ୭ ପ୍ରତିଶତ, ଟିଡିପି ୩ ଦଶମିକ ୧ ପ୍ରତଶତ ଓ ସ୍ୱାଧୀନ ପ୍ରାଥିୀ ୩.୦୩ ପ୍ରତିଶତ ଭୋଟ ପାଇଛନ୍ତି ।
ମିଜୋରାମରେ ଏମ୍ଏନ୍ଏଫ ୩୭.୬ ପ୍ରତିଶତ, କଂଗ୍ରେସ ୩୦.୦୨ ପ୍ରତିଶତ, ସ୍ୱାଧୀନ ୨୨.୯ ପ୍ରତିଶତ, ବିଜେପି ୮ ପ୍ରତିଶତ ଭୋଟ୍ ପାଇଛି।