‘ରାହୁଲ ୱେଡସ ଅଞ୍ଜଳି’ ଷ୍ଟିକର ଲଗାଇ ଚଢାଉ କଲା ଆୟକର ବିଭାଗ: ଜବତ କଲା ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଏବଂ ୩୯୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି

ଦେଶରେ ଲୁଚାଇଥିବା କଳା ଧନ ଧରିବା ପାଇଁ ଇଡି ତତ୍ପରତା ଦେଖାଇବା ପରେ ଏବେ ଆୟକର ବିଭାଗ ଆକ୍ସନ ମୋଡରେ । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗ ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ ଡେଭଲପରଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ, ଯେଉଁଥିରେ ପ୍ରବଳ ମାତ୍ରାରେ ବେନାମୀ ସମ୍ପତ୍ତି ଜବତ ହୋଇଛି । ଏହି ଚଢାଉ ସମୟରେ ଆୟକର ବିଭାଗ ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଏବଂ ୩୯୦ କୋଟି ଟଙ୍କାର ବେନାମୀ ସମ୍ପତ୍ତିର କାଗଜପତ୍ର ଜବତ କରିଥିଲା।

ଚଢ଼ାଉରେ ମିଳିଥିବା ଟଙ୍କାକୁ ଗଣିବା ପାଇଁ ବିଭାଗକୁ ୧୩ ଘଣ୍ଟା ସମୟ ଲାଗିଥିଲା । ଇନକମ୍ ଟ୍ୟାକ୍ସ ୧ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । ଆୟକର ବିଭାଗର ନାସିକ ବ୍ରାଞ୍ଚ ଏହି ଚଢ଼ାଉରେ ସଫଳ ହୋଇଛି । ରାଜ୍ୟର ପ୍ରାୟ ୪୦୦ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଆଇଟି କର୍ମଚାରୀମାନେ ୫ଟି ଟିମରେ ବିଭାଜିତ ହୋଇଥିଲେ ଓ ଏହି ଚଢ଼ାଉରେ ପ୍ରାୟ ୧୨୦ରୁ ଅଧିକ ଗାଡ଼ି ବ୍ୟବହୃତ ହୋଇଥିଲା ।

ଫିଲ୍ମ ଷ୍ଟାଇଲରେ ଚଢାଉ :

ଆୟକର ବିଭାଗର ଏହି ଟିମ୍‌ ୩୯୦ କୋଟି ଟଙ୍କାର ସଂପତ୍ତି ଜବତ କରିଥିଲା। ସୂଚନା ମୁତାବକ, ୩ ଅଗଷ୍ଟ ସକାଳେ ଆୟକର ବିଭାଗ ୧୦୦ରୁ ଅଧିକ ଗାଡିରେ ଆସି ଚଢାଉ କରିଥିଲେ। ଏହି ଗାଡିରେ ବିବାହ ସମାରୋହର ଷ୍ଟିକର ଲାଗିଥିଲା। ଏହି ଗାଡିରେ ‘ରାହୁଲ ୱେଡସ ଅଞ୍ଜଳି’ ଷ୍ଟିକର ଲାଗିଥିଲା। ଏହି ଗାଡି ଭିତରେ ୪୦୦ରୁ ଅଧିକ ଅଦିକାରୀ ରହିଥିଲେ। ଜାଲନାରେ ଥିବା ଲୋକେ କିଛି ବୁଝିବେ, ତା’ ଆଗରୁ ଅଧିକାରୀ ଚଢାଉ ମାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.