କୋଭିଡ୍‌ ଟିକାର ପାର୍ଶ୍ୱ ପ୍ରତିକ୍ରିୟା କଥା ମାନିଲା ‘ଆଷ୍ଟ୍ରାଜେନେକା’, ସୃଷ୍ଟି କରୁଛି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

କୋଭିଶିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ‘ଆଷ୍ଟ୍ରାଜେନେକା’ ଏକ ବଡ଼ ଖୁଲାସା କରିଛି । କରୋନା ଭ୍ୟାକ୍ସିନ୍‌ ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟାର ଅନେକ ଦାବି ଭିତରେ ଏବେ ଆଷ୍ଟ୍ରାଜେନେକା ଏହା ସ୍ୱୀକାର କରିଛି ।

କୋଭିଶିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ‘ଆଷ୍ଟ୍ରାଜେନେକା’ ଏକ ବଡ଼ ଖୁଲାସା କରିଛି । କରୋନା ଭ୍ୟାକ୍ସିନ୍‌ ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟାର ଅନେକ ଦାବି ଭିତରେ ଏବେ ଆଷ୍ଟ୍ରାଜେନେକା ଏହା ସ୍ୱୀକାର କରିଛି । କୋର୍ଟରେ ଉପସ୍ଥାପିତ ଡକ୍ୟୁମେଣ୍ଟରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ କୋଭିଡ୍‌-୧୯ ଟିକା ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ । ତେବେ ଏଭଳି ପାର୍ଶ୍ୱ ପ୍ରତିକ୍ରିୟାର ମାମଲା ବହୁତ କମ୍ ବୋଲି କମ୍ପାନୀ ଦାବି କରିଛି ।

ବ୍ରିଟିଶ ଖବରକାଗଜ ‘ଦ ଡେଲି ମେଲ୍‌ର’ ରିପୋର୍ଟ ମୁତାବକ, ଅନେକ ପରିବାର କରୋନା ଭ୍ୟାକ୍ସିନ୍‌ ଦ୍ୱାରା ହୋଇଥିବା କ୍ଷତିର ଅଭିଯୋଗ ଆଣି ମକଦ୍ଦମା ଦାୟର କରିଥିଲେ । ଏହାପରେ ଏହି ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନୀ କୋର୍ଟରେ ଭ୍ୟାକ୍ସିନ୍‌ ଯୋଗୁ ଗମ୍ଭୀର ସ୍ୱାସ୍ଥ୍ୟଗତ ଜଟିଳତା ସୃଷ୍ଟି ହେବା କଥା ସ୍ୱୀକାର କରିଛି ।

ରିପୋର୍ଟ ମୁତାବକ, ଜାମି ସ୍କଟ୍‌ ଆଷ୍ଟ୍ରାଜେନେକା ବିରୋଧରେ ମକଦ୍ଦମା ଦାୟର କରିଥିଲେ । ସେ ୨୦୨୧ ଏପ୍ରିଲରେ କରୋନା ଭ୍ୟାକ୍ସିନ୍‌ର ଡୋଜ୍‌ ଗ୍ରହଣ କରିଥିଲେ, ଯାହା ପରେ ସେ ସ୍ଥାୟୀ ମସ୍ତିଷ୍କ କ୍ଷତି ସହ ଜୁଝି ହେଉଛନ୍ତି । ଜାମି ସ୍କଟ୍‌ଙ୍କ ସମେତ କେତେଜଣ ରୋଗୀଙ୍କଠାରେ ଟିଟିଏସ୍ ସହିତ ଥ୍ରୋମ୍ବୋସିସ୍ ନାମକ ବିରଳ ଲକ୍ଷଣ ଦେଖାଯାଇଥିଲା । ଏମାନେ ସମସ୍ତେ କମ୍ପାନୀ ବିରୋଧରେ ମାମଲା ଦାୟର କରାଇ କ୍ଷତିପୂରଣ ଦାବି କରିଥିଲେ ।

ଚଳିତ ବର୍ଷ ଫେବୃଆରୀରେ ବ୍ରିଟେନର ଏକ କୋର୍ଟରେ ଉପସ୍ଥାପିତ ହୋଇଥିଲା ଏକ ଆଇନଗତ ଦସ୍ତାବିଜ । ଏଥିରେ କେମ୍ବ୍ରିଜ୍‌ସ୍ଥିତ କମ୍ପାନୀ ସ୍ୱୀକାର କରିଥିଲା କି, ଏହାର ଟିକା ଅତି ବିରଳ ମାମଲାରେ ଥ୍ରୋମ୍ବୋସିସ୍ ସହିତ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (TTS)ର କାରକ ହୋଇପାରେ । ଏହି ସ୍ଥିତିରେ କମ୍ ପ୍ଲେଟ୍‌ଲେଟ ଗଣନା ଏବଂ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ ।

କହି ରଖୁଛୁ ଯେ କରୋନା ମହାମାରୀ ସମୟରେ ଏହି ଜୀବାଣୁ ରୋକିବା ପାଇଁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ସହ ମିଶି କୋଭିଡ ଟିକା ତିଆରି କରିଥିଲା । ସେପଟେ ଭାରତରେ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଆଷ୍ଟ୍ରାଜେନେକା ସହ ଚୁକ୍ତି କରି କୋଭିଶିଲ୍ଡ ଟିକା ପ୍ରସ୍ତୁତ କରିଥିଲା । ଏହାପରେ ଦେଶରେ ଅଧାରୁ ଅଧିକ ଲୋକଙ୍କୁ କୋଭିଶିଲ୍ଡ ଟିକା ଦିଆଯାଇଥିଲା ।

You might also like