ସ୍ୱିଡେନର ସ୍କୁଲରେ ଆଖିବୁଜା ଗୁଳିକାଣ୍ଡ, ୧୦ ମୃତ, ଶୁଟର ବି ନିହତ

ମଧ୍ୟ ସ୍ୱିଡେନର ଏକ ସ୍କୁଲରେ ଆଖିବୁଜା ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିକାଣ୍ଡରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି । ତେବେ ଘଟଣାରେ କେତେ ଜଣ ଆହତ ହୋଇଛନ୍ତି, ତାହାର ସଠିକ୍ ସୂଚନା ନାହିଁ । ପୋଲିସର କହିବା ହେଲା, ଜଣେ ଏକାକୀ ଶୁଟର ହିଁ ଏହି କାଣ୍ଡ ଘଟାଇଛି । କିନ୍ତୁ ଆକ୍ରମଣର ଉଦ୍ଦେଶ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଓରେବ୍ରୋ ଉପକଣ୍ଠରେ ଏହି ଘଟଣା ଘଟିଛି । ହଠାତ୍ ଆଖିବୁଜା ଗୁଳିକାଣ୍ଡକୁ ନେଇ ସେଠାରେ ଭୟର ବାତାବରଣ ଖେଳିଯାଇଥିଲା । ଖବର ପାଇ ପୋଲିସ ତୁରନ୍ତ ପହଞ୍ଚିଥିଲା । ଘଟଣାଟି କିପରି ଘଟିଲା, ତାହାର ତଦନ୍ତ ଚାଲିଥିବା ପୋଲିସ ମୁଖ୍ୟ ରୋବର୍ଟୋ ଏଡ୍ ଫୋରେଷ୍ଟ କହିଛନ୍ତି ।

ଗୁଳିକାଣ୍ଡ ଘଟିଥିବା ସ୍ଥାନ ଷ୍ଟକହୋମଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ । ଗୁଳିକାଣ୍ଡ ସ୍କୁଲ ଭିତରେ ହୋଇଛି ନା ବାହାରେ, ତାହା ଜଣାପଡ଼ି ନାହିଁ । ଯେଉଁ ସ୍କୁଲରେ ଏହି ଘଟଣା ଘଟିଛି, ସେଠାରେ ୨୦ ବର୍ଷରୁ ଅଧିକ ବୟସର ପିଲାମାନେ ପାଠ ପଢ଼ନ୍ତି ।

ସେପଟେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ‘ଆଜି ଆମେ ନିର୍ଦ୍ଦୋଷମାନଙ୍କ ବିରୋଧରେ ଭୟଙ୍କର ଏବଂ ମରଣାନ୍ତକ ହିଂସା ଦେଖିଲୁ । ଏହି ଆକ୍ରମଣ ପୂରା ଦେଶକୁ ଦୋହଲାଇ ଦେଇଛି । ଏହା ସମଗ୍ର ସ୍ୱିଡେନ ପାଇଁ ଅତ୍ୟନ୍ତ ଦୁଃଖଦ ଦିନ’ ।

ପୋଲିସ ମୁଖ୍ୟ କହିଛନ୍ତି, ଘଟଣାସ୍ଥଳରେ ଏତେ କ୍ଷୟକ୍ଷତି ହୋଇଛି ଯେ ମୃତକମାନଙ୍କ ସଂଖ୍ୟା ତୁରନ୍ତ କୁହାଯାଇ ପାରି ନ ଥିଲା । ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ । କାରଣ, ଅନେକ ଆହତଙ୍କ ଅବସ୍ଥା ବର୍ତ୍ତମାନ ଗମ୍ଭୀର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀଲଙ୍କା ନୌସେନା ଗୁଳିରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ, ସେଠାକାର ଉଚ୍ଚାୟୁକ୍ତଙ୍କୁ ତଲବ କଲା ବୈଦେଶିକ ମନ୍ତ୍ରଣାଳୟ

You might also like