ରେଷ୍ଟୁରାଣ୍ଟରେ ୧୧ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ, ଶୋଇଥିବା ବେଳେ ଲିକ୍ ହେଲା ବିଷାକ୍ତ ଗ୍ୟାସ୍

ଜର୍ଜିଆର ଗୁଡ଼ୌରୀରେ ଏକ ରେଷ୍ଟୁରାଣ୍ଟରେ ୧୧ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ବ୍ୟକ୍ତି ଜର୍ଜିଆର ନାଗରିକ ବୋଲି ଜଣାପଡ଼ିଛି । ପୋଲିସ ସୂଚନାନୁସାରେ, ଏମାନେ ସମସ୍ତେ ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାର ଏକ କୋଠରୀରେ ଶୋଇଥିଲେ । ଏହି ସମୟରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଲିକ୍ ହୋଇଥିଲା, ଯାହାଫଳରେ ଶ୍ୱାସରୁଦ୍ଧ ହୋଇ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ଜୀବନ ଚାଲିଯାଇଥିଲା ।

ପୋଲିସ କହିଛି ଯେ ପ୍ରାଥମିକ ତଦନ୍ତରେ ଏମାନଙ୍କ ଶରୀରର କେଉଁଠି ବି ଆଘାତ ଚିହ୍ନ ନାହିଁ । ଜର୍ଜିଆର ରାଜଧାନୀ ତିବଲିସିସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛି । ଦୂତାବାସ କହିଛି ଯେ ଆମେ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାର୍ଯ୍ୟ କରୁଛୁ, ଯାହା ଦ୍ୱାରା ୧୧ ମୃତଦେହକୁ ଶୀଘ୍ର ଭାରତ ପଠାଯାଇ ପାରିବ ।

ଜର୍ଜିଆର ଗୃହ ମନ୍ତ୍ରଣାଳୟ କହିଛି, ଘଟଣାର ତଦନ୍ତ କରାଯାଉଛି । ସେପଟେ ଗଣମାଧ୍ୟମର ରିପୋର୍ଟ ମୁତାବକ, କର୍ମଚାରୀମାନଙ୍କ କୋଠରୀ ନିକଟରୁ ଏକ ଜେନେରେଟର ମିଳିଥିଲା ​​। ବିଜୁଳି କାଟ ପରେ ଏହାକୁ ବୋଧହୁଏ ଚାଲୁ କରାଯାଇଥିଲା, ଯେଉଁଥିରୁ ହିଁ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା ।

ସେପଟେ ମୃତକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ପରିଚୟ ମିଳିଛି, ସେମାନେ ହେଲେ ତଲୱଣ୍ଡି ସାବୋର ହରବିନ୍ଦର ସିଂ, ପାଟିୟାଲାର ୱାରିନ୍ଦର ସିଂ, ତରନ ତାରନର ସନ୍ଦୀପ ସିଂ, ଜଳନ୍ଧରର ରବିନ୍ଦର କୁମାର, ସୁନାମର ରବିନ୍ଦର ସିଂ ଓ ତାଙ୍କ ପତ୍ନୀ ଗୁରବିନ୍ଦର କୌର, ରାଜପୁରାର ଅମରିନ୍ଦର କୌର, ମୋଗାର ମାନିନ୍ଦର କୌର ଓ ଗଗନଦୀପ ସିଂ । ଏମାନେ ସମସ୍ତେ ପଞ୍ଜାବର ନିବାସୀ ବୋଲି ଜଣାପଡ଼ିଛି ।

ମୃତକଙ୍କ ପରିବାର ଲୋକେ କହିଛନ୍ତି ଯେ ପ୍ରବଳ ତୁଷାରପାତ ଯୋଗୁ ସମସ୍ତେ ରେଷ୍ଟୁରାଣ୍ଟରେ ରୁମ୍ ଲକ୍ କରି ଶୋଇଥିଲେ । ଜର୍ଜିଆରେ ଥିବା ଏହି ରେଷ୍ଟୁରାଣ୍ଟ ଭାରତୀୟ ରେଷ୍ଟୁରାଣ୍ଟ ବୋଲି ସୂଚନା ରହିଛି ।

କହି ରଖୁଛୁ, ଗୁଡ଼ୌରୀରେ ରାତିରେ ତାପମାତ୍ରା ମାଇନସ୍ ୧୫ ଡିଗ୍ରୀକୁ ଖସିଯାଏ । ବିନା ହିଟରରେ ଏଠାରେ ରାତି ବିତାଇବା ସାଂଘାତିକ । ତେଣୁ ଏଠାରେ ରହୁଥିବା ଲୋକମାନେ କୋଠରୀକୁ ଗରମ ରଖିବା ପାଇଁ ବ୍ୟବସ୍ଥା କରନ୍ତି ।