ପାକିସ୍ତାନର ଖୈବର ପଖତୁନଖୱାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖୈବର ପଖତୁନଖୱାର ଡାଉନ୍ କୁରମ୍ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ ଅଧିକାରୀ ଏବଂ ମହିଳାଙ୍କ ସମେତ ୧୨ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି ।
ଏକ ରିପୋର୍ଟ ମୁତାବକ, ଯାତ୍ରୀବାହୀ ଭ୍ୟାନଟି ଲୋୟର କୁରମର ଓଚୁଟ କାଲି ଏବଂ ମନ୍ଦୁରୀ ଦେଇ ଅତିକ୍ରମ କରୁଥିବା ବେଳେ ପୂର୍ବରୁ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଭ୍ୟାନ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଏହି ପାସେଞ୍ଜର ଭ୍ୟାନ ପାରାଚିନାରରୁ ପେଶାୱର ଯାଉଥିଲା ।
ଗତକାଲି ମଧ୍ୟ ପାକିସ୍ତାନରେ ଏକ ବିସ୍ଫୋରଣ ଘଟିଥିଲା । ଖୈବର ପଖତୁନଖୱା ପ୍ରଦେଶର ବନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରକୁ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିରେ ଆସି ଏଠାରେ ବିସ୍ଫୋରଣ କରିଥିଲେ । ଏଥିରେ ୧୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିଲେ ।
ପାକିସ୍ତାନୀ ତାଲିବାନର ହାଫିଜ୍ ଗୁଲ୍ ବାହାଦୂର ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।