ଗାଜାରେ ଇସ୍ରାଏଲର ବଡ଼ ଏୟାର ଷ୍ଟ୍ରାଇକ୍‌, ୭୩ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ

ଗାଜା ଷ୍ଟ୍ରିପ୍‌ର ବେତ ଲାହିଆ ଅଞ୍ଚଳରେ ଇସ୍ରାଏଲ ବଡ଼ ଆକ୍ରମଣ କରିଛି । ଏହି ଆକ୍ରମଣରେ ପାଖାପାଖି ୭୩ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଓ ଶିଶୁ । ଗଣମାଧ୍ୟମର ରିପୋର୍ଟ ମୁତାବକ, ଶନିବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଅନେକ ଲୋକ ମାଟି ତେଳ ପୋତି ହୋଇପଡ଼ିଥିବା କୁହାଯାଉଛି ।

ହମାସ୍‌ର କହିବା ହେଲା, ଇସ୍ରାଏଲ ବର୍ତ୍ତମାନ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରୁଛି । ପାଲେଷ୍ଟାଇନ୍‌ ନ୍ୟୁଜ୍‌ ଏଜେନ୍ସି ଓ୍ଵାଫା ଅନୁସାରେ, ଇସ୍ରାଏଲ ଆକ୍ରମଣରେ ଏକ ଆବାସିକ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ପାଲେଷ୍ଟାଇନ୍‌ ସ୍ୱାସ୍ଥ୍ୟ ବିଭାଗ ଦାବି କରିଛି ଯେ ଅକ୍ଟୋବର ୧୯ ସୁଦ୍ଧା ୪୨ ହଜାର ୫୧୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆକ୍ରମଣର ଗତ ୨୪ ଘଣ୍ଟା ମଧ୍ୟରେ ୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ଗାଜାର ପଶ୍ଚିମ ଅଞ୍ଚଳରେ ଶନିବାର ଏକ ସ୍କୁଲ ନିକଟ ଅଲ ଶାତି ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା, ଯେଉଁଥିରେ ୭ ଜଣ ପ୍ରାଣ ହରାଇଛନ୍ତି । ଉତ୍ତର ଗାଜା ଷ୍ଟ୍ରିପ୍‌ର ଜବାଲିଆରେ ହୋଇଥିବା ଆକ୍ରମଣରେ ୫ ଜଣଙ୍କ ଜୀବନ ଯାଇଛି । ଇସ୍ରାଏଲ ଅଧିକାଂଶ ଏୟାର ଷ୍ଟ୍ରାଇକ୍‌ କରୁଛି ।

ଇସ୍ରାଏଲ କହିଛି ଯେ ଗାଜା ଷ୍ଟ୍ରିପ୍‌ରେ ଚାଲିଥିବା ଯୁଦ୍ଧରେ ୨୦ ବର୍ଷୀୟ ଷ୍ଟାଫ୍‌ ସାରଜେଣ୍ଟ ଆଫିର ବରେକାଓ୍ଵିଚ ଏବଂ ୧୯ ବର୍ଷୀୟ ସାରଜେଣ୍ଟ ଏଲିଶାଇ ୟଙ୍ଗ୍‌ ସହିଦ ହୋଇଛନ୍ତି । ଦୁଇ ଜଣ ଯବାନ ୫୨ତମ ବାଟାଲିୟନର ୪୦୧ତମ ବ୍ରିଗେଡରେ ମୁତୟନ ଥିଲେ । ଏହି ଦୁଇ ଜଣଙ୍କ ମୃତ୍ୟୁ ସହିତ କେବଳ ଗାଜା ଷ୍ଟ୍ରିପ୍‌ରେ ଏ ପର୍ଯ୍ୟନ୍ତ ଇସ୍ରାଏଲ୍‌ର ୩୫୭ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଆରବ ଦେଶଗୁଡ଼ିକ ଆଶଙ୍କା କରୁଛନ୍ତି କି, ଗାଜାକୁ ମିଲିଟାରୀ ଜୋନ୍‌ ଘୋଷଣା କରି ଇସ୍ରାଏଲ ନରସଂହାର କରିପାରେ ।