ସ୍ପେନରେ ଭୟଙ୍କର ବନ୍ୟାରେ ୯୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଶତାଧିକ ଲୋକ ବାସହରା ହୋଇଛନ୍ତି । ୫୦ ବର୍ଷ ଭିତରେ ସବୁଠାରୁ ବଡ଼ ବନ୍ୟା ବୋଲି କୁହାଯାଉଛି । ମାତ୍ର କେଇ ଘଣ୍ଟାରେ ବର୍ଷଯାକର ବର୍ଷା ହୋଇଥିଲା । ଦକ୍ଷିଣ-ପୂର୍ବ ସ୍ପେନର ଭାଲେନ୍ସିୟା ସହରରେ ପରିସ୍ଥିତି ଶୋଚନୀୟ ରହିଛି । ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ପେନ ପ୍ରଧାନମନ୍ତ୍ରୀ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏବେ ଅନେକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିବା ଅନୁମାନ କରାଯାଉଛି। ସୋସିଆଲ ମିଡିଆରେ ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ଭିଡିଓ ସାମ୍ନାକୁ ଆସିଛି ।
ବନ୍ୟା ପାଣିରେ ଅନେକ କାର ଭାସିଯାଇଥିବା ବେଳେ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଫସି ରହିଥିବା ଶହ ଶହ ଲୋକ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରେଡିଓ ଏବଂ ଟିଭି ଷ୍ଟେସନର ସାହାଯ୍ୟ ନେଉଛନ୍ତି । କେହି କେହି ନିଜ ପାଇଁ ସାହାଯ୍ୟ ମାଗୁଛନ୍ତି ଏବଂ କେହି କେହି ନିଜ ସମ୍ପର୍କୀୟଙ୍କ ପାଇଁ ସାହାଯ୍ୟ ମାଗୁଛନ୍ତି । ବନ୍ୟା ଫଳରେ ସ୍ପେନରେ ଫଳ ବଗିଚା ସବୁ ବୁଡିଯାଇଛି । ଜାତୀୟ ରାଜପଥ ଏବଂ ଚାଷ ଜମି ସବୁ ପାଣିରେ ବୁଡ଼ି ରହିଛି । ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ୧୧୦୦ରୁ ଅଧିକ ଯବାନ ନିୟୋଜିତ ରହିଛନ୍ତି ।
ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସ୍ପେନର ପୂର୍ବ ଏବଂ ଦକ୍ଷିଣ ଭାଗରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଆସିଛି ।
ଭାଲେନ୍ସିଆ ସହରରେ ରେଡ୍ ଆଲର୍ଟ ଲାଗୁ କରାଯାଇଥିବା କହିଛି ସ୍ପେନର ପାଣିପାଗ ବିଭାଗ । ଆନ୍ଦାଲୁସିଆ ସହରରେ ଆଲର୍ଟ ଘୋଷଣା କରାଯାଇଛି । ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟରେ କହିଛନ୍ତି ଯେ, ନିଖୋଜ ଲୋକ ଏବଂ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଖବର ଉପରେ ଦୃଷ୍ଟି ରଖିଛନ୍ତି । ପ୍ରଶାସନର ପରାମର୍ଶ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ଏହା ସହିତ ସେ ଲୋକଙ୍କୁ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ କହିଥିଲେ । ସ୍ପେନରେ ୧୯୭୨ ପରେ ସ୍ପେନରେ ଏହା ଭୟଙ୍କର ବନ୍ୟା । ୧୯୭୨ ବନ୍ୟାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ୯୫ ଜଣଙ୍କ ମୃତ୍ୟୁ ହେଲାଣି ।