ରାଜନୀତିର ‘ଅଜାତଶତ୍ରୁ’ ଅଟଳ

ମଧ୍ୟପ୍ରଦେଶର ଗୋଆଲିୟରରେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ । ଉତ୍ତର ପ୍ରଦେଶ କାନପୁର ସ୍ଥିତ ଲକ୍ଷ୍ମୀବାଇ କଲେଜରୁ ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ୍‌ କରିଥିଲେ । ତାଙ୍କ ପିତା କ୍ରିଷ୍ଣା ବିହାରୀ ବାଜପେୟୀ ଜଣେ ଶିକ୍ଷକ ଓ କବି ଥିଲେ । ଯିଏକି ଦେଶାତ୍ମବୋଧକ ତଥା ମାନବବାଦ ଉପରେ କବିତା ଲେଖୁଥିଲେ । ଅଟଳ ବିହାରୀ ବାଜପେୟୀ ସ୍ୱାଧୀନତା ପୂର୍ବରୁ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜନୀତିରେ ଏହା ଥିଲା ତାଙ୍କର ପ୍ରଥମ ପ୍ରବେଶ । ୧୯୩୯ରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇଥିଲେ । ତାଙ୍କର ଓଜସ୍ୱିନୀ ଭାଷଣ ପଣ୍ଡିତ ଜବାହର ଲାଲ ନେହେରୁଙ୍କୁ ମଧ୍ୟ ପ୍ରଭାବିତ କରିଥିଲା ।

ବାଜପେୟୀ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ନେହେରୁ ମଧ୍ୟ ଭବିଷ୍ୟବାଣୀ କରିଥିଲେ । କେବଳ ତାଙ୍କର ଭାଷଣ ନୁହେଁ ତାଙ୍କର ଅମାୟିକ ହସ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା । ୧୯୬୮ ମସିହାରେ ସେ ଦୀନଦୟାଲ ଉପାଧ୍ୟାୟଙ୍କ ପରେ ଜନସଂଘର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ । ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ ଦେଇ ଦେଶରେ ଜରୁରୀ କାଳୀନ ପରିସ୍ଥିତି ବେଳେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଜେଲ୍‌ ଯାଇଥିଲେ । ୧୯୯୬ରେ ସ୍ୱଳ୍ପ କାଳ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପରେ ୧୯୯୮ ମାର୍ଚ୍ଚ ୧୯ ଓ ପୁଣି ୧୯୯୯ ଅକଟୋବର ୧୩ରେ କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଲେ । ଏହି ବିଜ୍ଞ ତଥା ବରିଷ୍ଠ ନେତା ୧୦ଥର ଲୋକସଭା ଏବଂ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୧୯୫୫ରେ ପ୍ରଥମଥର ଲୋକସଭା ନିର୍ବାଚନରେ ହାରିଯିବା ପରେ ୧୯୫୭ରେ ଉତ୍ତର ପ୍ରଦେଶ ବଳରାମପୁର ଆସନରୁ ବିଜୟୀ ହୋଇଥିଲେ । ୨୦୧୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା । ଅଟଳଙ୍କୁ ରାଜନୀତିର ଅଜାତଶତ୍ରୁ କୁହାଯାଏ ।