ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ ନାହିଁ ଆପ୍ ମନ୍ତ୍ରୀ ଆତିଶୀ । ଖାରଜ ହୋଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦାବି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସ୍ୱାଧୀନତା ଦିବସରେ ତାଙ୍କ ସ୍ଥାନରେ ଆତିଶୀ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦାବି କରିଥିଲେ । ଏହି ଦାବିକୁ ଖାରଜ କରିଦେଇଛି ସାଧାରଣ ପ୍ରଶାସନ ବିଭାଗ ।
ବିଭାଗ କହିଛି ଯେ ଜାତୀୟ ପତାକା ଉତ୍ତୋଳନ ବିଷୟରେ ଗୋପାଳ ରାୟ ଯେଉଁ ଚିଠି ଲେଖିଥିଲେ, ତାହାର କୌଣସି ଗୁରୁତ୍ୱ ନାହିଁ । ବିଭାଗ ସ୍ପଷ୍ଟ କରିଛି କି, ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ହିଁ ନିୟମ ରହିଛି । ସେଥିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ।
ଗୋପାଳ ରାୟ ନିଜ ଚିଠିରେ ଲେଖିଥିଲେ ଯେ ସିଏମ୍ କେଜ୍ରିୱାଲଙ୍କୁ ସେ ଭେଟିଛନ୍ତି । ସିଏମ୍ ଚାହୁଁଛନ୍ତି କି, ଏଥର ସ୍ୱାଧୀନତା ଦିବସରେ ଆତିଶୀ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ।
ଏହା ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ କହିଛି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜେଲରୁ କୌଣସି ଲିଖିତ କିମ୍ବା ମୌଖିକ ନିର୍ଦ୍ଦେଶ ଦେଇପାରିବେ ନାହିଁ । ତେଣୁ ଏହା ବୈଧ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଗଷ୍ଟ ୧୫ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା, କିନ୍ତୁ ସେଠାରୁ ଉତ୍ତର ମିଳିଛି ଯେ ସିଏମ୍ ବର୍ତ୍ତମାନ ଜେଲରେ ଅଛନ୍ତି ।
କହି ରଖୁଛୁ, ଅଗଷ୍ଟ ୧୫ ପାଇଁ ଛତ୍ରଶାଲ ଷ୍ଟାଡିୟମରେ ପ୍ରସ୍ତୁତି ଚାଲିଛି । ପତାକା କିଏ ଉତ୍ତୋଳନ କରିବ, ତାହା ଏଲ୍ଜି କାର୍ଯ୍ୟାଳୟ ସ୍ଥିର କରିବ ।