ଜେଲ୍ରୁ ଉପରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ ସମ୍ବନ୍ଧରେ ସେ ଚିଠିରେ ଉଲ୍ଲେଖ କରିଛନ୍ତି । କେଜ୍ରିଓ୍ଵାଲ ଲେଖିଛନ୍ତି ଯେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ମନ୍ତ୍ରୀ ଅତିଶୀ ସିଂ ପତାକା ଉତ୍ତୋଳନ କରିବେ । ଏଲ୍ଜି ବିନୟ କୁମାର ସାକ୍ସେନାଙ୍କୁ ଲେଖିଥିବା ଏହି ଚିଠିରେ କେଜ୍ରିଓ୍ଵାଲ କହିଛନ୍ତି, ମୋ ଜାଗାରେ ମନ୍ତ୍ରୀ ଅତିଶୀ ଜାତୀୟ ପତାକା ଉତ୍ତୋଳନ କରିବେ ।
ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସରେ ଦିଲ୍ଲୀ ସରକାର ଛତ୍ରସାଲ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ଯେଉଁଠି ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିଥାଆନ୍ତି । କିନ୍ତୁ ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲ୍ରେ ଅଛନ୍ତି । ତେଣୁ ସେ ନିଜ କ୍ୟାବିନେଟ୍ ମନ୍ତ୍ରୀ ଅତିଶୀଙ୍କୁ ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ଦେଇଛନ୍ତି ।
କହି ରଖୁଛୁ, ଗତ ୫ ତାରିଖରେ କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟରୁ ବଡ଼ ଝଟ୍କା ମିିଳିଛି । ଗିରଫକୁ ଚ୍ୟାଲେଞ୍ଜ କରୁଥିବା ତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ହାଇକୋର୍ଟ ତାଙ୍କୁ ସ୍ପେଶାଲ ଜଜ୍ଙ୍କ ପାଖକୁ ଯିବା ପାଇଁ କହିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛନ୍ତି । ଦୁଇଟି ଏଜେନ୍ସିର ଗିରଫଦାରୀକୁ କେଜ୍ରିଓ୍ଵାଲ ଆଇନଗତ ଭାବେ ଚ୍ୟାଲେଞ୍ଜ କରିଥିଲେ ।