ଚୋର୍‌ ଚୋର୍‌, ଜିନିଷପତ୍ର ଛାଡ଼ି ପଳାଇଲେ ଏଟିଏମ୍‌ ଲୁଟେରା

ଅହମଦାବାଦ : ଏଟିମ୍‌ ଭାଙ୍ଗି ଏଥିରୁ ଟଙ୍କା ଲୁଟ୍‌ କରିବାକୁ ଆସିଥିଲେ ଦୁଇ ଜଣ ଲୁଟେରା । ଏଟିମ୍‌ ଭାଙ୍ଗିବା ପାଇଁ କଟର୍‌ ବାହାର କଲେ । ଜଣେ ଭିତରେ ପଶିଲା ଆଉ ଜଣେ ବାହାରେ ଜଗିଲା । ହେଲେ ଅଚାନକ ଚିତ୍କାର ଶୁଭିଲା ‘ଚୋର ଚୋର’ । ଦୁଇ ଚୋର ନିଜ ଜିନିଷପତ୍ର ସେଇଠି ଛାଡ଼ି ପ୍ରାଣ ବିକଳରେ ଦୌଡ଼ି ପଳାଇଲେ । ଶନିବାର ଦିନ ସ୍ଥାନୀୟ ବଲ୍ଲଭନଗର ଓଣ୍ଢବ ଅଞ୍ଚଳରେ ଏକ ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମ୍‌ରେ ଲୁଟ୍‌ ଉଦ୍ଦେଶ୍ୟରେ ପଶିଥିଲେ । ହେଲେ ଚୋର ଚୋର ପାଟି ଶୁଣି ପଳାଇ ଗଲେ । କଥା ହେଉଛି, ଏଟିଏମ୍‌ରେ ଲାଗିଥିବା ଆଲାରାମ୍‌ରେ ‘ଚୋର ଚୋର’ ଚିତ୍କାର ରେକର୍ଡ଼ିଂ ହୋଇ ରହିଥିଲା । ଦୁଇ ଲୁଟେରା ନିଜ କାମ ଆରମ୍ଭ କରିବା ବେଳକୁ ଜୋରରେ ବାଜିଲା ଆଲାରାମ୍‌ । ସେମାନଙ୍କୁ କେହି ଦେଖିନେଲା ଭାବି ଚୋର ଦୁଇ ଜଣ ଦୌଡ଼ି ପଳାଇଲେ । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଥାନାରେ ବ୍ୟାଙ୍କ ମ୍ୟାନେଜର ଏକ ମାମଲା ରୁଜୁ କରିଛନ୍ତି । ପୋଲିସ୍‌ ତଦନ୍ତ କରୁଛି ।