ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ରହିଛି । ଏଥିପାଇଁ କମ୍ପୁଛି ପ୍ରଚାର ମୈଦାନ । ନେତା ଓ ମନ୍ତ୍ରୀଙ୍କ ଏକ ପ୍ରଚାର ସଭା ବେଳେ ପୂର୍ବତନ ସାଂସଦଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି । ମହାରାଷ୍ଟ୍ର ଅମରାବତୀରେ ବିଜେପିର ପୂର୍ବତନ ସାଂସଦ ନବନୀତ ରାଣାଙ୍କ ଜନସଭାରେ ହଙ୍ଗାମା ହୋଇଛି । ଜନସଭାରେ ଥିବା ଲୋକ ପରସ୍ପରକୁ ଚେୟାର ଫୋପଡା ଫିଙ୍ଗା କରିଥିଲେ ।
ଖବର ମୁତାବକ, ଅମରାବତୀରେ ଜିଲ୍ଲାର ଦରିଆପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖାଲାର ଗ୍ରାମରେ ନିର୍ବାଚନ ପ୍ରଚାର ରାଲି କରିଥିଲେ ବିଜେପି ନେତ୍ରୀ ନବନୀତ ରାଣା । ଯୁବ ସ୍ୱାଭିମାନ ପାର୍ଟିର ପ୍ରାର୍ଥୀ ରମେଶ ବୁନ୍ଦିଲେଙ୍କ ସମର୍ଥନରେ ଏହି ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଲୋକମାନେ ବସିବା ପାଇଁ ଅଣାଯାଇଥିବା ଚେୟାରକୁ ପରସ୍ପରକୁ ଫିଙ୍ଗିଥିଲେ । ଏପରିକି ନବନୀତ ରାଣାଙ୍କ ଉପରକୁ ମଧ୍ୟ ଚୌକି ଫିଙ୍ଗା ଯାଇଥିଲା । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ନବନୀତ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ସ୍ଥିତି ବିଗିଡିବା ପରେ ପୂର୍ବତନ ସାଂସଦ ନବନୀତ ରାଣା ଖଲ୍ଲାର ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ । ସଭାରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ଖଲ୍ଲାର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ସେ କହିଛନ୍ତି, ଖଲ୍ଲାରରେ ଜନସଭା ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ହଠାତ୍ କିଛି ଲୋକ ପାଟିତୁଣ୍ଡ କରିଥିଲେ । ଏହା ଦେଖି ସଭା ତଳକୁ ଆସି ଦେଖିବା ବେଳେ କିଛି ଲୋକ ଅଲ୍ଲା ହୁ ଅକବର ନାରା ଲଗାଇଥିଲେ । ମୋ ସମର୍ଥକ ମନା କରିବା ପରେ ସେମାନେ ମୁହଁରେ ଛେପ ପକାଇବା ସହିତ ଚେୟାର ଫିଙ୍ଗିଥିଲେ ।
ସୂଚନାଯୋଗ୍ୟ, ଗତ ମାସ ଅକ୍ଟୋବରରେ ପୂର୍ବତନ ସାଂସଦ ନବନୀତ ରାଣାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା ଏବଂ ୧୦ କୋଟି ଟଙ୍କା ଦାବି କରାଯାଇଥିଲା । ନବନୀତ ରାଣାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।