ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ସନ୍ଦିଗ୍ଧ ଚିହ୍ନଟ, ସାମ୍ନାକୁ ଆସିଲା ସିସିଟିଭି ଫଟୋ

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିବା ସନ୍ଦିଗ୍ଧଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ କହିଛି ଯେ ଅଭିନେତାଙ୍କୁ ଆକ୍ରମଣ କରିଥିବା ସନ୍ଦିଗ୍ଧ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଫାୟାର ଏଗଜିଟ୍ ସିଡି ଦେଇ ଘରେ ପଶିଥିଲେ ଏବଂ ବହୁ ଘଣ୍ଟା ଧରି ସେଠାରେ ରହିଥିଲେ ।
ବିଲ୍ଡିଂର ସିସିଟିଭି ଫୁଟେଜରେ ତାଙ୍କୁ ଚିହ୍ନଟ କରାଯାଇଛି । ବିଲ୍ଡିଂର ୧୨ତମ ମହଲାରେ ସୈଫ୍ ନିଜ ପରିବାର ସହ ରୁହନ୍ତି ।
ମୁମ୍ବାଇର ପୋଶ୍ ଅଞ୍ଚଳ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ଘରେ ରାତି ପ୍ରାୟ ସାଢ଼େ ୨ଟାରେ ଏହି ଘଟଣା ଘଟିଥିଲା । ଜଣେ ଘରୋଇ ସହାୟିକା ସନ୍ଦିଗ୍ଧଙ୍କୁ ଦେଖି ଯେତେବେଳେ ବଡ଼ ପାଟିରେ ଚିତ୍କାର କରିଥିଲେ, ପାଟି ଶୁଣି ସୈଫ୍ ଅଲ୍ଲୀ ଖାନ ସେଠାରେ ପହଞ୍ଚିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅଭିନେତାଙ୍କୁ ସନ୍ଦିଗ୍ଧ ୬ ଥର ଛୁରାମାଡ଼ କରିଥିଲେ । ଏଥିରେ ଘରୋଇ ସହାୟିକାଙ୍କ ହାତରେ ମଧ୍ୟ ମାମୁଲି ଆଘାତ ଲାଗିଛି ।
୫୪ ବର୍ଷୀୟ ସୈଫଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିବା ପରେ ତାଙ୍କର ସର୍ଜରୀ କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ଘଟଣା ପରେ ସୈଫଙ୍କୁ ତୁରନ୍ତ ଲୀଳାବତୀ ହସ୍ପିଟାଲ ନିଆଯାଇଥିଲା । ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ତାଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ନ୍ୟୁରୋ ସର୍ଜରୀ କରାଯାଇ ଶରୀରରୁ ୨/୩ ଇଞ୍ଚର ଧାରୁଆ ଅସ୍ତ୍ର ବାହାର କରାଯାଇଛି । ଅଭିନେତାଙ୍କର ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଅପରେସନ ଚାଲିଥିଲା । ତାଙ୍କ ବେକ ପାଖରେ ମଧ୍ୟ ଆଘାତ ଲାଗିଛି । ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି ।
ସେପଟେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୋଲିସ । କିନ୍ତୁ ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି । ପୋଲିସ ତାଙ୍କୁ ଧରିବା ପାଇଁ ୧୦ଟି ଟିମ୍ ଗଠନ କରିଛି । ପୋଲିସ ଏବେ ସୈଫଙ୍କ ୩ ଜଣ ଷ୍ଟାଫଙ୍କୁ ପଚରାଉଚରା କରୁଛି ।