ଅତୁଲ ସୁଭାଷଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ : ଘର ଛାଡି ଫେରାର ହୋଇଗଲେ ନିକିତାଙ୍କ ମା’-ଭାଇ

AI ଇଞ୍ଜିନିୟର୍‌ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ ସାମ୍ନାକୁ ଆସିଛି।  ବେଙ୍ଗାଲୁରୁରେ ତାଙ୍କ ପତ୍ନୀ ନିକିତା ସିଙ୍ଘାନିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।  ଅଧିକ ତଦନ୍ତ ପାଇଁ ବେଙ୍ଗାଲୁରୁ ପୋଲିସ ଜୈନପୁରରେ ପହଞ୍ଚିଛି । ଏହାରି ମଧ୍ୟରେ ବିଳମ୍ବିତ ରାତିରେ ନିକିତାଙ୍କ ମା’ ଏବଂ ଭାଇ ଘର ଛାଡି ଫେରାର ହୋଇଯାଇଛନ୍ତି । ଗିରଫ ଭୟରେ ଅନୁରାଗ ସିଙ୍ଘାନିଆ ଏବଂ ନିଶା ସିଙ୍ଘାନିଆ ଫେରାର ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ନିକିତାଙ୍କ ମା’ ଓ ଭାଇ ଜୈନପୁରର ନଗର ଖୋଆ ମଣ୍ଡି ସ୍ଥିତ ଘରେ ରହୁଥିଲେ । ଏବେ ତାଙ୍କ ଘରେ ତାଲା ଝୁଲୁଛି । ବେଙ୍ଗାଲୁରୁ ପୋଲିସ ଟିମ୍ ଜୈନପୁରରେ ପହଞ୍ଚିବା ଶୁଣି ସେମାନେ ଘରୁ ପଳାଇଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।

ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପରିବାର ଲୋକ ଆତ୍ମହତ୍ୟା ଲାଗି ଉସ୍‌କାଇଥିବା ପାଇଁ ବେଙ୍ଗାଲୁରୁରେ ନିକିତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି । ନିକିତାଙ୍କ ମା’ ଏବଂ ଭାଇଙ୍କ ବ୍ୟତୀତ ଅତୁଲଙ୍କ ଦାଦା ଶ୍ୱଶୁର ସୁଶିଲ କୁମାରଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି ଅତୁଲ ସୁଭାଷଙ୍କ ଭାଇ ବିକାଶ ।

ନିକିତାଙ୍କ ଦାଦା ସୁଶିଲ ସିଙ୍ଘାନିଆ କହିଛନ୍ତି ଯେ, ସମସ୍ତ ଅଭିଯୋଗ ଭିତ୍ତିହୀନ । ଅତୁଲ ସୁଭାଷଙ୍କ ପ୍ରତ୍ୟେକ ଅଭିଯୋଗର ଉତ୍ତର ତାଙ୍କ ପରିବାର ପାଖରେ ଅଛି । ଯେହେତୁ ନିକିତା ବର୍ତ୍ତମାନ ବାହାରେ ଅଛନ୍ତି, ସେଥିପାଇଁ ସେ ଅଧିକ କିଛି କହିବେ ନାହିଁ । ନିକିତା ପ୍ରତ୍ୟେକ ଅଭିଯୋଗର ଉତ୍ତର ଦେବେ ।

ସୂଚନାଯୋଗ୍ୟ, ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ଠିକ୍‌ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ସୁଟ୍‌ କରିଥିଲେ । ୮୦ ମିନିଟରେ ଏକ ଭିଡିଓ ବନାଇ ସେହି ସବୁ କଥା କହିଥିଲେ ।  ତେବେ ମୃତ୍ୟୁ ପରେ ପୋଲିସ ଘଟଣାସ୍ଥଳରୁ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ ଜବତ କରିଛି ।  କେମିତି ପତ୍ନୀ ଓ ତାଙ୍କ ସର୍ମ୍ପକୀୟଙ୍କଠୁ ଦୀର୍ଘଦିନ ଧରି ନିର୍ଯାତନା ସହୁଥିଲେ ? ତାଙ୍କ ମୃତ୍ୟୁ ପରେ ପରିବାର, ପୁଅ ସମ୍ଭାଳିବା ସହ ନ୍ୟାୟ ଦେବାକୁ ଏମିତି ଅନେକ କଥା ଭିଡିଓରେ ରେକର୍ଡିଂ କରିଥିଲେ ଅତୁଲ ସୁଭାଷ । ନିଜ ସନ୍ତାନକୁ ପତ୍ନୀଙ୍କ ନିକଟରୁ ଆଣି ତାଙ୍କ ପରିବାର ଲୋକଙ୍କୁ ଦେବାକୁ ଇଛା ପ୍ରକାଶ କରିଛନ୍ତି । ବିନା କ୍ୟାମେରାରେ ନିକିତାଙ୍କୁ ନଭେଟିବାକୁ ଅତୁଲ ନିଜ ପିତାମାତାଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ନିର୍ଯାତନା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦଣ୍ଡ ନପାଇବା ପର୍ଯ୍ୟନ୍ତ ଅସ୍ଥି ବିସର୍ଜନ ନକରିବାକୁ ସେ ପରିବାରଲୋକଙ୍କୁ ଅନୁରୋଧ କରିଛନ୍ତି । ଆବଶ୍ୟକ ପଡିଲେ ତାଙ୍କ ଅସ୍ଥିକୁ ଅଦାଲତ ବାହାରେ ଥିବା ନାଳରେ ଭସାଇଦେବାକୁ ସେ ଅନୁରୋଧ କରିଛନ୍ତି ।