ପଚାମାଛକୁ ସାଙ୍ଗରେ ନେଇ ସଂସଦ ଭିତରକୁ ପସିଲେ ସାଂସଦ, ଶୀଘ୍ର ହଟାଇବାକୁ ଆଦେଶ ଦେଲେ ବାଚସ୍ପତି

ଅଷ୍ଟ୍ରେଲିଆ : ସାଂସଦ ଭିତରେ ବ୍ୟାନର ଏବଂ ପୋଷ୍ଟର ଧରିବା ବହୁତ ସାଧାରଣ କଥା ହୋଇଥାଏ । କିନ୍ତୁ ଅଷ୍ଟ୍ରେଲିଆର ସାଂସଦରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ସାଂସଦ ନିଜର ପକ୍ଷ ରଖିବା ପାଇଁ ଏକ ପଚାମାଛ ଧରି ସଂସଦରେ ପହଞ୍ଚିଥିଲେ । ଏଭଳି ଏକ ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସାଂସଦ ସାରା ହ୍ୟାନସନ-ୟଙ୍ଗ ସଂସଦ ଭିତରେ ଏକ ପଚାମାଛକୁ ସଂସଦକୁ ନେଇ ଆସିଥିଲେ । ତସ୍ମାନିଆର ମ୍ୟାକ୍ୱାରି ହାର୍ବରରେ ସାଲମନ ଚାଷକୁ ପ୍ରୋତ୍ସାହିତ କରୁଥିବା ନୂତନ ଆଇନ ବିରୁଦ୍ଧ କରି ସେ ଏପରି କରିଛନ୍ତି ବୋଲି ଜଣାପଡିଛି । ତେଣୁ ସେ ପଚାମାଛକୁ ସାଙ୍ଗରେ ନେଇ ସଂସଦକୁ ଆସିଥିଲେ ।
ସାଂସଦଙ୍କ ନାଁ ହେଉଛି ସାରା ହ୍ୟାନସନ-ୟଙ୍ଗ । ସେ କହିଛନ୍ତି ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ଦ୍ୱାରା ମୌଜିଆନ ସ୍କେଟ୍ ନାମକ ଏକ ବିରଳ ସାମୁଦ୍ରିକ ପ୍ରାଣୀ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ବୃଦ୍ଧି ପାଉଛି । ସଂସଦରେ ପଚାମାଛ ଦେଖାଇ ସେ ସରକାରଙ୍କୁ କହିଛନ୍ତି ନିର୍ବାଚନର ଠିକ୍ ପୂର୍ବରୁ ଆପଣ କଣ ପରିବେଶ ପାଇଁ କରିଥିବା ପ୍ରତିଶ୍ରୁତିକୁ ବିକ୍ରି କରିଦେଇଛନ୍ତି ? ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ । ହ୍ୟାନସନ ୟଙ୍ଗ ଏଭଳି କରିବା ସମୟରେ ସଂସଦର ବାଚସ୍ପତି ସୁ ଲାଇନ୍ସ ତୁରନ୍ତ ହସ୍ତକ୍ଷେପ କଲେ ଏବଂ ତାଙ୍କୁ ମାଛକୁ ହଟାଇବାକୁ କହିଲେ ।
ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ଲୋକ ବିରୋଧ କରୁଛନ୍ତି । ଲିଓନାର୍ଡୋ ଡିକାପ୍ରିୟୋ ମଧ୍ୟ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ରଖିଥିଲେ । ସୋସିଆଲ ମିଡିଆରେ ସେ କହିଛନ୍ତି ଏହି ସପ୍ତାହରେ ଅଷ୍ଟ୍ରେଲିଆ ସରକାର ମ୍ୟାକ୍ୱାରି ହାର୍ବରର ଭବିଷ୍ୟତ ନିଷ୍ପତ୍ତି ନେବେ ଏବଂ ବିନାଶକାରୀ ସାଲମନ ଫାର୍ମଗୁଡ଼ିକୁ ବନ୍ଦ କରିବାର ସୁଯୋଗ ପାଇବେ, ଯାହା ଦ୍ଵାରା ମାଉଜିଅନ୍ ସ୍କେଟକୁ ସୁରକ୍ଷା ମିଳିବ ।
ଲିଓନାର୍ଡୋ ଲେଖିଛନ୍ତି ଏହି ଉପକୂଳ ଅଞ୍ଚଳ ଭୂମି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ମୁଖ୍ୟ ଜୈବ ବିବିଧତା କ୍ଷେତ୍ରର ମାନ୍ୟତା ଦିଆଯାଇଛି । ଯାହାର ଅର୍ଥ ହେଉଛି ଏହା ସମଗ୍ର ଭୂମିର ପରିବେଶ ଏବଂ ଜୈବ ବିବିଧତା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ମୌଜିଆନ୍ ସ୍କେଟକୁ ବିଲୁପ୍ତ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରନ୍ତୁ ଏବଂ ଏହି ପ୍ରାକୃତିକ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ସେ ତାଙ୍କ ସମର୍ଥକମାନଙ୍କୁ ନିବେଦନ କରିଥିଲେ । ୨୦୧୨ରେ ସରକାର ଏହି ଅଞ୍ଚଳରେ ସାଲମନ ଚାଷକୁ ଅନୁମୋଦନ ଦେଇଥିଲେ ।
Also read: ହେଲମେଟ ନ ପିନ୍ଧିବାରୁ ୧୦ ଲକ୍ଷର ଚାଲାଣ କାଟିଲା ପୋଲିସ, ୧୧ମାସ ହେଲା ଟ୍ରାଫିକ ଥାନାକୁ ଦୌଡୁଛନ୍ତି ଯୁବକ