ରାଇଡ୍‌ କ୍ୟାନ୍ସଲ୍‌ କରିବାରୁ ମହିଳାଙ୍କୁ ଚାପୁଡ଼ା ମାରିଲେ ଅଟୋ ଡ୍ରାଇଭର, ବାନ୍ଧି ନେଲା ବେଙ୍ଗାଲୁରୁ ପୋଲିସ

ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକାଳୁ ସନ୍ଧ୍ୟା ଯାଏ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଯଦି ଆପଣ ସୋସିଆଲ ମିଡିଆରେ ସକ୍ରିୟ, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଫିଡ୍‌ରେ ଭାଇରାଲ୍ ଭିଡିଓ ଦେଖାଯାଉଥିବ । ପ୍ରାୟତଃ ନାଚଗୀତ, ନିଆରା ପ୍ରତିଭା ଏବଂ ଯୋଗାଡ଼ର ଭିଡିଓଗୁଡ଼ିକ ଆମକୁ ମନୋରଞ୍ଜନର ଖୋରାକ୍‌ ଯୋଗାଇଥାଏ । ଏମିତି ବି, ବେଳେବେଳେ ପାଟିତୁଣ୍ଡ, ଯୁକ୍ତିତର୍କର ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହୋଇଥାଏ ।

ଏବେ ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କ ମଧ୍ୟରେ ଏକ ଛୋଟିଆ କଥାକୁ ନେଇ ଝଗଡ଼ା ଲାଗିଛି । ଭିଡିଓଟି ବେଙ୍ଗାଲୁରୁର ବୋଲି କୁହାଯାଉଛି । ଭିଡିଓ ପୋଷ୍ଟ ହେବା ପରଠାରୁ ହିଁ ଭାଇରାଲ ହେଉଛି । ଏଠାରେ ଜଣେ କ୍ୟାବ୍‌ ଡ୍ରାଇଭର ମହିଳା ଗ୍ରାହକଙ୍କ ସହ ଜୋର୍‌ଦାର ଝଗଡ଼ା କରୁଛନ୍ତି ।

ଡ୍ରାଇଭର ଜଣକ କହୁଛନ୍ତି, ‘ଭୁଲ୍ କେମିତି ହେଲା’? ଏହାପରେ ମହିଳା ସେପଟୁ କହୁଛନ୍ତି, ‘ଆପଣ କାହିଁକି ଚିତ୍କାର କରୁଛନ୍ତି’ । ଏହା ଶୁଣି ଡ୍ରାଇଭର କହୁଛନ୍ତି, ‘ତୁମ ବୋପା ଦେଉଛନ୍ତି କି ଗ୍ୟାସ୍‌’ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଲାଗୁଛି । ମହିଳା ଥାନାକୁ ଯିବା କଥା କହି ଧମକ ଦେବା ପରେ ଡ୍ରାଇଭର ଆହୁରି କ୍ରୋଧାନ୍ୱିତ ହୋଇ ଥାନାକୁ ଯିବା ପାଇଁ କହୁଛନ୍ତି ।

ଏହାପରେ ମହିଳା ଜଣକ କହିଥିଲେ କି, ଯଦି ମୋତେ ଯିବାକୁ ପଡ଼େ, ମୁଁ ଯିବି ଆଉ ଆପଣଙ୍କ ନାଁରେ ଅଭିଯୋଗ କରିବି । ଏହା ଶୁଣି ଡ୍ରାଇଭର ଜଣକ ମହିଳାଙ୍କୁ ଚାପୁଡ଼ା ମାରିଥିଲେ । ଭିଡିଓରେ ମହିଳା କହୁଛନ୍ତି, ‘ଆପଣ ମୋତେ କାହିଁକି ଚାପୁଡ଼ା ମାରିଲେ’ । ଏହିପରି ପୂରା ଭିଡିଓରେ ଜୋର୍‌ଦାର ଯୁକ୍ତିତର୍କ ଦେଖିବାକୁ ମିଳୁଛି ।

ଏହି ଘଟଣା ସେପ୍ଟେମ୍ବର ୩ର । ଜଣାପଡ଼ିଛି ଯେ ଜଣେ ମହିଳା ଓଲା ଆପ୍‌ରେ କେଉଁଆଡ଼େ ଯିବା ପାଇଁ ଅଟୋରିକ୍ସା ବୁକ୍‌ କରିଥିଲେ । ହେଲେ ବୁକିଂ ପରେ ସେ ଏହାକୁ କ୍ୟାନ୍ସଲ୍‌ କରିଦେଇଥିଲେ । ଏହାରି ଭିତରେ ଅଟୋ ଡ୍ରାଇଭର ଲୋକେସନରେ ପହଞ୍ଚି ସାରିଥିଲେ । ବୁକିଂ କ୍ୟାନସେଲେସନକୁ ନେଇ ଅଟୋ ଡ୍ରାଇଭର ଏତେ ରାଗିଯାଇଥିଲେ ଯେ ମହିଳାଙ୍କ ସହ ଏଭଳି ବ୍ୟବହାର କରିଥିଲେ । ସେପଟେ ବେଙ୍ଗାଲୁରୁ ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିଛି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।